Categories: ଜାତୀୟ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା, ୩ ଡାକ୍ତର- ପୋଲିସ ଅଧିକାରୀ ଗିରଫ…

ଗୁଆହାଟି,୮।୧୧ : ଆସାମର ଡାରଙ୍ଗ ଜିଲାରେ ଜଣେ ୧୩ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପାଇଁ ଜଣେ ପୋଲିସ ସେବା ଅଧିକାରୀ ଏବଂ ତିନିଜଣ ସରକାରୀ ଡାକ୍ତରଙ୍କୁ ସିଆଡି ପକ୍ଷରୁ ଗିରଫ କରାଯାଇଛି। ଘରୋଇ ସହାୟିକା ଭାବରେ କାମ କରୁଥିବା ପୀଡିତା ନାବାଳିକା ଜୁନ ମାସରେ ତାଙ୍କ ମାଲିକଙ୍କ ଘରେ ଫାଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଅଗଷ୍ଟରେ ନିଲମ୍ବିତ ହୋଇଥିବା ଡାରଙ୍ଗର ଅତିରିକ୍ତ ପୋଲିସ ଅଧୀକ୍ଷକ ରୂପମ ଫୁକନଙ୍କୁ ମଙ୍ଗଳବାର ଡ୍ୟୁଟିରେ ଅବହେଳା ଅଭିଯୋଗରେ ଗିରଫ କରାଯାଇଛି।

ସିଆଇଡି ରିପୋର୍ଟରେ କୁହାଯାଇଛି ଯେ ପୀଡିତାଙ୍କ ମୃତଦେହର ପ୍ରଥମ ପୋଷ୍ଟମର୍ଟମ କରିଥିବା ମଙ୍ଗଲଦାଇ ସିଭିଲ ହସପିଟାଲର ତିନିଜଣ ଡାକ୍ତର ଅରୁଣ ଚନ୍ଦ୍ର ଡେକା, ଅଜନ୍ତା ବୋରଦୋଲାଇ ଏବଂ ଅନୁପମ ଶର୍ମାଙ୍କୁ ଗିରଫ କରାଯାଇଛି। ପରେ ମୃତଦେହକୁ ପୁଣି ବାହାର କରାଯାଇ ଦ୍ୱିତୀୟ ପୋଷ୍ଟମର୍ଟମ କରାଯାଇଥିଲା। ଗିରଫ ଅତିରିକ୍ତ ଏସପି ଏବଂ ତତ୍କାଳୀନ ଡାରଙ୍ଗର ଏସପିଙ୍କ ଘରେ ମଧ୍ୟ ତଲାସୀ ଚାଲିଛି।

ଝିଅଟି ପୂର୍ବରୁ କାମ କରୁଥିବା ଦମ୍ପତିଙ୍କୁ ମଧ୍ୟ ଗିରଫ କରାଯାଇଛି। କିନ୍ତୁ ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ପୋଲିସ ଏହାର ସଠିକ ଅନୁସନ୍ଧାନ କରିବାକୁ ପ୍ରସ୍ତୁତ ନୁହେଁ। ଅଗଷ୍ଟ ୧୨ ରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୋନୀତପୁର ଜିଲାରେ ଥିବା ନାବାଳିକାଙ୍କ ପରିବାରକୁ ଯାଇଥିଲେ ଏବଂ ଏହାର କିଛି ସମୟ ପରେ ଡାରଙ୍ଗ ଏସପି ରାଜମୋହନ ରୟ, ଅତିରିକ୍ତ ଏସପି ରୂପମ ଫୁକନ ଏବଂ ତତ୍କାଳୀନ ଧୁଲା ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ଉତ୍କଳ ବୋରାଙ୍କୁ ନିଲମ୍ବିତ କରାଯାଇଥିଲା। ସିଆଡି ପୂର୍ବରୁ ବୋରାଙ୍କୁ ଗିରଫ କରିସାରିଛି।

Share