ତେହରାନ୍/ରିୟାଦ,୧୬ ୪: ପାକିସ୍ତାନର ସର୍ବୋଚ୍ଚ ସାମରିକ ଅଧିକାରୀ ଫିଲ୍ଡ ମାର୍ଶାଲ ଆସିମ ମୁନିର ବୁଧବାର ଇରାନ୍ରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ସାଉଦି ଆରବ ଗସ୍ତ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଘୋଷିତ ୧୪ ଦିନିଆ ଅସ୍ତ୍ରବିରତି ଅବଧି ଆସନ୍ତା ସପ୍ତାହରେ ଶେଷ ହେବ। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ଆମେରିକୀୟ ନୌସେନାର କଡ଼ା ପ୍ରହରା ଜାରି ରହିଥିବାବେଳେ ତେହରାନ୍ ମଧ୍ୟ ନିଜ ନିୟନ୍ତ୍ରଣ ହରାଇବାକୁ ଚାହୁଁନାହିଁ। ଏପରି କି ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ୍ ଜିଦରେ ଅଟଳ ରହିଛି। ଫଳରେ ସିଜ୍ଫାୟାର ଅବଧି ଶେଷ ହେବା ପରେ ପୁନର୍ବାର ଯୁଦ୍ଧ ଆଶଙ୍କା ଉପୁଜିଛି। ତେଣୁ ପାକିସ୍ତାନ ନିଜ ମଧ୍ୟସ୍ଥ ଭୂମିକାକୁ ଅଧିକ ମଜଭୁତ କରି ଶାନ୍ତି ଆଲୋଚନାରୁ ଏକ ନିର୍ଣ୍ଣାୟକ ନିଷ୍କର୍ଷ ବାହାର କରି କୂଟନୈତିକ ମଞ୍ଚରେ ସଫଳତା ପ୍ରତିପାଦିତ କରିବାକୁ ଜୋର୍ଦାର ଉଦ୍ୟମ ଚଳାଇଛି। ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ, ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ (ସିଏଏସ୍) ଆସିମ ମୁନିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ତେହରାନ୍ ଗସ୍ତ କରିଛନ୍ତି। ତାଙ୍କ ଟିମ୍ରେ ଗୃହମନ୍ତ୍ରୀ ମୋହସିନ୍ ନକ୍ଭି ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ରହିଛନ୍ତି। ତେହରାନ୍ରେ ପହଞ୍ଚତ୍ବା ପରେ ଇରାନୀୟ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଆରାଘଚି ପ୍ରତିନିଧି ମଣ୍ଡଳୀକୁ ସ୍ବାଗତ କରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଇରାନ ସରକାର ପରିଚାଳିତ ପ୍ରେସ୍ ଟିଭି ରିପୋର୍ଟ କରିଛି। ସେହିପରି ମଧ୍ୟସ୍ଥତା ଉଦ୍ୟମ ପରିପ୍ରେକ୍ଷୀରେ ସେମାନେ ଗସ୍ତ କରିଥିବା ପାକ୍ ସେନା ମଧ୍ୟ ସ୍ପଷ୍ଟ କରିଛି। ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ସାଉଦି ଆରବର ଜେଦ୍ଦାହରେ ପହଞ୍ଚତ୍ଛନ୍ତି। ଶରିଫ୍ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ତୁର୍କୀ ଓ କାତାର ଗସ୍ତକରି ୧୮ ତାରିଖ ପର୍ଯ୍ୟନ୍ତ ରହିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଏପ୍ରିଲ ୨୨ରେ ସିଜ୍ଫାୟାର ଅବଧି ଶେଷ ହେବା ପୂର୍ବରୁ ଭବିଷ୍ୟତ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରିବା ପାଇଁ ଉଭୟ ମୁନିର ଓ ଶରିଫ୍ଙ୍କ ଉଦ୍ୟମକୁ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଖୁବ୍ଶୀଘ୍ର ଯୁଦ୍ଧ ଶେଷ ହେବ ବୋଲି କହିଛନ୍ତି। ଇତିମଧ୍ୟରେ ଇରାନ୍ ସହ ଆମେରିକାର ଆଲୋଚନା ଚାଲିଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଇରାନ୍ ରାଷ୍ଟ୍ରପତି ମସୌଦ ପେଜେଶ୍କିଆନ୍ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।