ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିବାର ପ୍ରାୟ ୧୧ ମାସ ବିତିବାକୁ ବସିଥିଲେ ମଧ୍ୟ ନୂତନ ଭାବେ ସାମିଲ ହୋଇଥିବା ୧୧ଟି ଗ୍ରାମର ଲୋକଙ୍କୁ ମିଳୁନି ମୌଳିକ ସୁବିଧା। ଅଳିଆ ଆବର୍ଜନା ଉଠାଯାଉ ନଥିବାରୁ ରାସ୍ତାକଡ଼ରେ କୁଢ଼କୁଢ଼ ମଇଳା ଜମି ରହିଥିଲା। ଏହିଭଳି ଛେଦାଭୁମି ରୋଡ ରେ ମଧ୍ୟ ମଇଳା ଜମି ରହିଥିଲା।
ଏହାର ପ୍ରତିବାଦରେ ଲଣ୍ଡେଇସାହିର ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ସାହୁ ବୁଧବାର ସକାଳେ ମୁଣ୍ଡରେ ମଇଳା ଧରି ରାସ୍ତା ଉପରେ ଅନଶନରେ ବସିଥିଲେ। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜାଣିବା ପରେ ମ୍ୟୁନିସିପାଲିଟି କର୍ମଚାରୀ ଧାରଣାସ୍ଥଳରେ ପହଞ୍ଚି ସଫେଇ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପରେ ମ୍ୟୁନିସିପାଲିଟି ପକ୍ଷରୁ ହିଟାଚି ମେଶିନ ଲଗାଇ ଜମି ରହିଥିବା ଅଳିଆ ଆବର୍ଜନା ସଫା କରାଯାଇଛି। ପଞ୍ଚାୟତକୁ ମ୍ୟୁନିସିପାଲଟିକୁ ସମ୍ପୂର୍ଣ
ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତିରେ ମଧ୍ୟ ବିଳମ୍ବ ଯୋଗୁ ଏହି ସମସ୍ୟା ଦେଖାଦେଇଛି।
ସୂଚନାଯୋଗ୍ୟ, ଭଞ୍ଜନଗର ଏନଏସି ରାଜ୍ୟର ଏକ ପୁରାତନ ଏନଏସି ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ମ୍ୟୁନିସିପାଲିଟି ମାନ୍ୟତା ପାଇ ନ ଥିଲା। ଗତବର୍ଷ ଡିସେମ୍ବର ୨୨ ତାରିଖରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରଚେଷ୍ଟାରେ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିଥିଲା। ଏଥିରେ ବାଉଁଶଲୁଣ୍ଡି, ଦୁବୁଦୁବା, ଗାମୁଣ୍ଡି, ସାନପଥରା, ଲାଲସିଂ, ଧନଞ୍ଜୟ ନଗର, ରାଜକୁଣ୍ଡ, ଛେଦାଭୂଇଁ, ରସୋଳକୋଣ୍ଡା ରିଜର୍ଭର, ଜାମପଲ୍ଲୀ ଓ ଅଗଝୋଳା ଆଦି ୧୧ଟି ଗ୍ରାମ ସାମିଲ ହୋଇଥିଲା।
ତେବେ ପଞ୍ଚାୟତ ଅଞ୍ଚଳ ମ୍ୟୁନିସିପାଲିଟିରେ ମିଶିବା ପରେ ପଞ୍ଚାୟତର ଆକାଉଣ୍ଟ ବନ୍ଦ ହୋଇଯାଇଥିବାରୁ ପୂର୍ବଭଳି ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ। ଅନ୍ୟପକ୍ଷରେ ପଞ୍ଚାୟତର ହସ୍ତାନ୍ତର ପ୍ରକ୍ରିୟା ଓ ଆବଶ୍ୟକ କାଗଜପତ୍ର ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ମ୍ୟୁନିସିପାଲିଟି ପକ୍ଷରୁ ମଧ୍ୟ ନିୟମିତ ସେବା ଯୋଗାଇ ଦିଆଯାଇପାରୁନାହିଁ। ଫଳରେ ଲୋକେ ଉଭୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ମଧ୍ୟରେ ଫସି ରହିଛନ୍ତି।
ଗତ ୨୯ ତାରିଖର ବାତ୍ୟା ଓ ବର୍ଷା ସମୟରେ ରାସ୍ତାକଡ଼ରେ ଜମି ରହିଥିବା ଅଳିଆ ଆବର୍ଜନା ଯୋଗୁଁ ଲୋକେ ଅନେକ ସମସ୍ୟା ଭୋଗିଥିଲେ। ପୁଣି ବାତ୍ୟା ଆଶଙ୍କା ଦେଖାଦେବାରୁ ଅଳିଆ ସଫେଇ ଦାବି ଜୋରଦାର ହୋଇଥିଲା।
ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା କହିଛନ୍ତି ଯେ, ଅଳିଆ ଉଠାଇବା ପାଇଁ ଆବଶ୍ୟକ ଗାଡ଼ି ନିମନ୍ତେ ଟେଣ୍ଡର ଡକାଯାଇଛି। ଦିନେ ଦୁଇଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ପଞ୍ଚାୟତଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ହସ୍ତାନ୍ତର ହୋଇ ନ ଥିବାରୁ କିଛି ସମସ୍ୟା ରହିଛି। ତଥାପି ଲୋକଙ୍କ ସୁବିଧା ପାଇଁ ସଫେଇ କାର୍ଯ୍ୟ ଆଜି କରାଯାଇଛି। ନୂଆ ଅଞ୍ଚଳ ଗୁଡ଼ିକରେ ନିୟମିତ ସଫେଇ କରାଯିବ। ଅନଶନ ପରେ ହିଟାଚି ମେସିନ ଲଗାଇ ସଫେଇ କରାଯାଇଥିବାରୁ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ତେବେ ଏହି ୧୧ଟି ଗ୍ରାମରେ ନିୟମିତ ସଫେଇ ସହ ଅନ୍ୟାନ୍ୟ ମୌଳିକ ସୁବିଧା କେବେ ମିଳିବ, ତାହା ଏବେ ବଡ଼ ପ୍ରଶ୍ନ।