ପୌରପାଳିକାରେ ହେଉନି ନିୟମିତ ବୈଠକ: ଜିଲାପାଳଙ୍କୁ ଭେଟିଲେ ପାରିଷଦ

ଭଦ୍ରକ ଅଫିସ,୧୫।୪: ଭଦ୍ରକ ପୌରପାଳିକାରେ ନିୟମିତ ବୈଠକ ହେଉ ନ ଥିବା ନେଇ ଶନିବାର ଜିଲାପାଳଙ୍କୁ ଭେଟି ବିଜେଡି ପାରିଷଦ ବିଭିନ୍ନ ଦାବି ଜଣାଇଛନ୍ତି l ସେମାନଙ୍କ ଦାବି ଅନୁସାରେ ବର୍ଷେ ହେଲା ନିର୍ବାଚିତ ହୋଇଥିଲେ ମଧ୍ୟ ନିଜ ୱାର୍ଡରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ l ପ୍ରତି ମାସରେ ବୈଠକ କରାଯାଉ ନ ଥିବାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇପାରୁନାହିଁ l ପୌର ଅଧିବେଶନରେ ନିଆଯାଉଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଉନାହିଁ। ଗତ ଅଧିବେଶନରେ ୨୨କୋଟି ଟଙ୍କାର ପ୍ରକଳ୍ପ ପାରିତ ହୋଇଥିଲେ ମଧ୍ୟ ମନଇଚ୍ଛା କାଣ୍ଟଛାଣ୍ଟ କରି ଟେଣ୍ଡର କରାଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସୈଖ ଜାହିରୁଦ୍ଦିନ, ଆଶିଷ ଅମିତାଭ ମହାପାତ୍ର, ସନୱାର ବିବି, ଊର୍ମିଳା ମାଝୀ, ସୌଭାଗ୍ୟଲକ୍ଷ୍ମୀ ସ୍ବାଇଁଙ୍କ ସମେତ ୨୦ ଜଣ ପାରିଷଦ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ।