ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ତାମ୍ପରା ହ୍ରଦ ପରିସରରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଦଳର ଆଗଧାଡ଼ିର ନେତା, ଜନପ୍ରତିନିଧି ଓ କର୍ମୀମାନେ ଏଥିରେ ଯୋଗଦେଇ ନିଜ ଭିତରେ ଥିବା ମତାନ୍ତର ମନାନ୍ତରକୁ ପଛରେ ପକାଇ ସଂଗଠନକୁ ମଜବୁତ କରିବା ସହ ଆଗାମୀ ନିର୍ବାଚନରେ ଏକଜୁଟ୍‌ ହୋଇ ଲଢ଼ିବାକୁ ସଂକଳ୍ପ ନେଇଥିଲେ। ବୈଠକରେ ବକ୍ତାମାନେ କହିଥିଲେ ଯେ, ବିଜୁ ଜନତା ଦଳ ସବୁବେଳେ ଲୋକାଭିମୁଖୀ ରାଜନୀତି ଓ ବିକାଶକୁ ପ୍ରାଧାନ୍ୟ ଦେଇଆସିଛି। ତେଣୁ ଦଳର ପ୍ରତ୍ୟେକ କର୍ମୀ ଗାଁ ଗାଁ ଓ ୱାର୍ଡ ୱାର୍ଡ ବୁଲି ଲୋକଙ୍କ ନିକଟରେ ପହଞ୍ଚି ବିଜେଡି ସରକାର ସମୟରେ ହୋଇଥିବା ବିକାଶମୂଳକ ଓ ଜନକଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ସଚେତନ କରିବାକୁ ଆହ୍ବାନ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟର ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଜନବିରୋଧୀ ନୀତି ଆପଣାଇଛନ୍ତି। ଏହା ବିରୋଧରେ ସାଧାରଣ ଲୋକଙ୍କୁ ସଚେତନ କରିବା ସମୟର ଆବଶ୍ୟକତା ବୋଲି ସେମାନେ କହିଥିଲେ। ପୂର୍ବ ବିଜେଡି ସରକାରଙ୍କ ଅମଳରେ ହୋଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ନୂଆ ରଙ୍ଗ ଦେଇ ବର୍ତ୍ତମାନ ସରକାର ନିଜର ସଫଳତା ଭାବେ ଉପସ୍ଥାପନ କରୁଥିବା ଅଭିଯୋଗ କରିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳା ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠିଥିଲା। ରାଜ୍ୟରେ ଅପରାଧ ବୃଦ୍ଧି ପାଇବା ସହ ମହିଳାମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏଭଳି ପରିସ୍ଥିତିରେ ବିଜେଡି କର୍ମୀମାନେ ଲୋକଙ୍କ ପାଖକୁ ଯାଇ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟଧାରା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଆଗାମୀ ନିର୍ବାଚନରେ ଦଳକୁ ମଜବୁତ କରିବା ପାଇଁ ଏକତ୍ରିତ ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି ସାଂଗଠନିକ ବୈଠକରେ ଛତ୍ରପୁର ବ୍ଲକ ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ଗଞ୍ଜାମ ବ୍ଲକ ସଭାପତି ରଞ୍ଜନ ପଲେଇ ଓ ଛତ୍ରପୁର ପୌର ପରିଷଦ ସଭାପତି ବି. ରାଜୁବାବୁଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ମୁନା ଦାସ, ବିଜେଡିର ଜିଲା ନେତା ଶଙ୍କର ପ୍ରସାଦ ଦାଶ, ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା, ଯୁବ ନେତା ସୁଧୀର କୁମାର ପାଢ଼ୀ, ଜିଲା ପରିଷଦ ସଦସ୍ୟ ସନାତନ ବେହେରା, ଗଗନ ସ୍ବାଇଁ, ପୁଲିଙ୍ଗି ସରପଞ୍ଚ ହୀନା ସେଠୀ ଯୋଗ ଦେଇଥିଲେ। ସେହିପରି ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ ରେଡ୍ଡୀ, ସୁନ୍ଦରପୁର ସମିତି ସଭ୍ୟା ସୁଜ୍ଞାନୀ ସେଠୀ, ପୂର୍ବତନ ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ ସରପଞ୍ଚ ଭଗବାନ ନାହାକ, ଯୁବନେତା ସୁରେଶ ଦାଶଓ ନାରୀ ନେତ୍ରୀ ନୀଳାଦ୍ରୀ ପ୍ରଧାନଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ଆଗଧାଡ଼ିର ନେତା ଓ କର୍ମୀ ଉପସ୍ଥିତ ଥିଲେ।

 

Odisha’s No.1 Odia Daily