ପୌର ନିର୍ବାଚନ: ସକାଳ ୮ରୁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମ ଲାଗି ଗୁରୁବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ଯାଏ ଏହା ଚାଲିବ। ୪୦ ଲକ୍ଷ ୫୫ହଜାର ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ।

ଏହି ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ୫୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ବୁଥ ଗୁଡ଼ିକର ଭିଡିଓଗ୍ରାଫି କରାଯିବ। କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସତ୍ତ୍ୱେ ପୌର ନିର୍ବାଚନରେ ଭୋଟ ଦେବାର ପ୍ରମାଣ ମିଳିବ, ଅର୍ଥାତ ଡବଲ ଭୋଟିଂ କରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସ୍ପଷ୍ଟ କରିଛନ୍ତି ।