ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲା ଏଏପି

ସୁନାବେଡା,୧୯ା୪(ସ୍ବ.ପ୍ର.): ଇତିମଧ୍ୟରେ ସୁନାବେଡା ପୌର ପରିଷଦ ନିର୍ବାଚନ ଶେଷ ହୋଇଛି। କାଉନସିଲରମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ମାସେ ନ ପୂରୁଣୁ ଜଣେ କାଉନସିଲର ନିର୍ବାଚନ ବେଳେ ନିର୍ବାଚନ ଅଧିକାରୀଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଏଏପି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଗତ ୧୩ ତାରିଖରେ ଜୟପୁର ଜିଲା କୋର୍ଟର ଦ୍ୱାରସ୍ଥ ହୋଇ ନିର୍ବାଚିତ କାଉନସିଲରଙ୍କ ପଦବୀ ରଦ୍ଦ ଲାଗି ଏକ ପିଟିଶନ ଦାଏର କରିଛନ୍ତି ଏଏପିର ଆଲୋକବାଳା ନାୟକ।
ଖବରରୁ ଜଣାପଡିଛି, ପୌର ପରିଷଦ ନିର୍ବାଚନ ବେଳେ ସେତେବେଳେ ସୁନାବେଡା ୧୪ ନଂ ୱାର୍ଡ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରିଥିଲେ । ଏଥିରେ କଂଗ୍ରେସରୁ ଅଜୟ ଦୁରିଆ, ଆମ୍‌ ଆଦମୀ ପାର୍ଟିରୁ ଆଲୋବାଳା ନାୟକ, ଭାଜପାରୁ ସତୀଶ ପ୍ରସାଦ, ବିଜେଡିରୁ ସୁରେନ୍ଦ୍ର କୁମାର ସେଠୀ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ରବି କଣ୍ଟା ଥିଲେ। ଏଥିରେ ୨୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ସୁରେନ୍ଦ୍ର କୁମାର ସେଠୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଏଏପିର ଆଲୋକବାଳା ନାୟକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଏବେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ରଙ୍କ ପକ୍ଷରୁ ନାମାଙ୍କନ ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ଆଲୋକବାଳା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସୁରେନ୍ଦ୍ର ସତ୍ୟ ପାଠରେ ତାଙ୍କର ୨ଟି ସନ୍ତାନ ଥିବା ଦର୍ଶାଇଥିବା ବେଳେ ପ୍ରକୃତରେ ତାଙ୍କର ୩ଟି ସନ୍ତାନ ଅଛନ୍ତି। ଏହା ପୌରପରିଷଦ ପକ୍ଷରୁ ଘୋଷିତ ଚୂଡାନ୍ତ ଭୋଟର୍‌ ତାଲିକାରୁ ଜଣାପଡିଛି। ତାଲିକାର କ୍ରମିକ ନଂ. ୧୪,୧୦୬ ଓ ୧୫୪ ୩ଟି ସନ୍ତାନଙ୍କ ନାମ ଦର୍ଶାଉଛି। ସେହିପରି ପୂର୍ବରୁ ସୁରେନ୍ଦ୍ରଙ୍କ ଚାକିରି କ୍ଷେତ୍ରରେ ରହିଥିବା ମେଡିକାଲ କାର୍ଡରେ ମଧ୍ୟ ତାଙ୍କର ୩ଟି ସନ୍ତାନ ରହିଥିବା ଉଲ୍ଲେଖ ରହିଛି। ଏନେଇ ଆଲୋକବାଳା ଜୟପୁର ଜିଲା କୋର୍ଟର ଦ୍ୱାରସ୍ଥ ହୋଇ ନିର୍ବାଚିତ କାଉନସିଲରଙ୍କ ପଦବୀ ରଦ୍ଦ ଲାଗି ଏକ ପିଟିଶନ ଦାଏର କରିଛନ୍ତି।