୬୦ ବର୍ଷ ଧରି ଜୀବିକା ଯୋଗାଇଛି ମୁଣ୍ଡଳି ବ୍ୟାରେଜ

ନରାଜ, ୨୯।୬ (ଡି.ଏନ୍‌.ଏ)ମହାନଦୀରେ ବନ୍ୟା ଆସିଲେ ମନେ ପଡ଼େ ମୁଣ୍ଡଳି ବ୍ୟାରେଜର କଥା। ଏଠାରେ ରହିଛି ବନ୍ୟା ଜଳସ୍ତର ଜାଣିବାର ବ୍ୟବସ୍ଥା। ହେଲେ ୬୦ବର୍ଷ ଧରି ଏହି ବ୍ୟାରେଜ ବୁଝିଆସିଛି ଲକ୍ଷଲକ୍ଷ ଜୀବନଜୀବିକାର କଥା। ପୁରୀ ମେନ୍‌ କେନାଲ ସହ ବହୁ ଶାଖା କେନାଲ ମାଧ୍ୟମରେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାର ୧ଲକ୍ଷ ୩୬ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ କ୍ଷେତକୁ ବର୍ଷସାରା ଜଳପ୍ଳାବିତ କରି ଆସୁଛି। ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ପରୋକ୍ଷରେ ରାଜ୍ୟର ଆର୍ଥତ୍କ ମେରୁଦଣ୍ଡକୁ ସୁଦୃଢ଼ କରିବାରେ ସହାୟକ ହେଉଛି ଏହି ବ୍ୟାରେଜ।
କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ବର୍ଷାଦିନ ବ୍ୟତୀତ ଅନ୍ୟଦିନଗୁଡ଼ିକରେ ଚାଷ କାର୍ଯ୍ୟରେ ବଡ଼ ସମସ୍ୟା ସୃଷ୍ଟି କରୁଥିଲା ପାଣି। ଏହି ସମସ୍ୟା ଦୂର କରିବା ପାଇଁ ୧୯୬୦ରେ କଟକ ଜିଲା ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡଳିଠାରେ ମହାନଦୀ ଉପରେ ତିଆରି ହୋଇଥିଲା ବ୍ୟାରେଜ। ୩ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୧୯୬୫ରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା। ସମୁଦ୍ରକୁ ବୋହି ଯାଉଥିବା ଜଳକୁ ଅଟକାଇ କେନାଲ ମାଧ୍ୟମରେ ଚାଷ କାର୍ଯ୍ୟରେ ଲଗାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସର୍ବାଧିକ ୧୨ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବାର କ୍ଷମତା ରଖିଥିବା ଏହି ବ୍ୟାରେଜରେ ୧୦ଟି ଗେଟ୍‌ ରହିଛି। ଏହି ଗେଟ୍‌ ମାଧ୍ୟମରେ ପ୍ରବାହିତ ଜଳକୁ ଅଟକାଯାଇ ନିକଟରୁ ବାହାରିଥିବା ପୁରୀ କେନାଲରେ ଛଡ଼ାଯାଉଛି। ଏଠାରୁ ୪୨ କିଲୋମିଟର ପୁରୀ ଜିଲା ପର୍ଯ୍ୟନ୍ତ ଲମ୍ବିଥିବା ଏହି କେନାଲର ଦୁଇ ପାର୍ଶ୍ୱରେ ଥିବା ଚାଷଜମି ଓ ଶାଖା କେନାଲ ମାଧ୍ୟମରେ ଅନ୍ୟ ଚାଷଜମିକୁ ଜଳସେଚନ କରାଯାଉଛି। ମୁଣ୍ଡଳି ବ୍ୟାରେଜ ପାଇଁ ଶୁଖିଲା କ୍ଷେତ ଆଜି ସବୁଜମୟ ହୋଇପାରିଛି। ଧାନ ସହ ବିଭିନ୍ନ ପନିପରିବା ଓ ଫଳ ଚାଷ କରି ଚାଷୀମାନେ ହସ ଖୁସିରେ ଦିନ କାଟୁଛନ୍ତି। ଭୋକିଲା ପେଟକୁ ବର୍ଷସାରା ଦାନା ଯୋଗାଇବା ସହ ବଳକା ବିକ୍ରି କରି ନିଜର ଆର୍ଥତ୍କ ସ୍ଥିତିକୁ ସୁଧାରିପାରିଛନ୍ତି। କେବଳ ସେତିକି ନୁହେଁ, ଏଠାରୁ ସହରାଞ୍ଚଳକୁ ବଡ଼ ବଡ଼ ପମ୍ପ୍‌ ସହାୟତାରେ ପାଣି ଯୋଗାଇ ଦିଆଯାଉଛି। ବ୍ୟାରେଜ ଦେଇ ଯାତାୟାତ ବ୍ୟବସ୍ଥା ରହିଥିବାବେଳେ ଅଟକି ରହିଥିବା ଜଳରେ ମତ୍ସ୍ୟଜୀବୀମାନେ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ବ୍ୟାରେଜ ହେବାର ୧୫ବର୍ଷ ପରେ ୧୯୮୦ରେ ଏହାର ସମସ୍ତ ଗେଟ୍‌କୁ ଲାଗି ବ୍ରିଜ ତିଆରି ହେବାରୁ ଆଠଗଡ଼, ଢେଙ୍କାନାଳ, ଅନୁଗୋଳଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଲୋକେ କଟକ ଓ ଭୁବନେଶ୍ୱର ଆସିବାକୁ ସହଜ ହୋଇଛି। ଏମାନଙ୍କ ପାଇଁ ଏବେ ମୁଣ୍ଡଳି ବ୍ୟାରେଜ ବହୁ ସ୍ମୃତି ବହନ କରୁଛି।

କ’ଣ କୁହନ୍ତି ଏମାନେ…
ମୁଣ୍ଡଳିଠାରେ ବ୍ୟାରେଜ କେବଳ ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିଲା। କିନ୍ତୁ ସମୟକ୍ରମେ ଏଠାରେ ବାସ କରୁଥିବା କୈବର୍ତ୍ତ ଶ୍ରେଣୀର ଲୋକେ ବେଶ୍‌ ଉପକୃତ ହେଲେ। ଏବେ ଏଠାରୁ ମାଛ ମାରି ବହୁ ପରିବାର ଚଳୁଛନ୍ତି। ଏହାକୁ ଲାଗି ବ୍ରିଜ ନିର୍ମାଣ ହେବାରୁ ଲୋକଙ୍କ ଗମନାଗମନରେ ବେଶ୍‌ ସୁବିଧା ହେଉଛି।
– ରବି ପ୍ରସାଦ ବେହେରା, ପୂର୍ବତନ ସରପଞ୍ଚ, ମୁଣ୍ଡଳି
ବ୍ୟାରେଜ ଆରମ୍ଭରୁ ମଁୁ ଏଠାରେ ଥିବା ଲଞ୍ଚରେ ହେଲ୍‌ପର ଭାବେ କାମ କରୁଛି। ବ୍ୟାରେଜର ତଳି ଅଞ୍ଚଳକୁ କୋଡି ଦେଶ ବୋଲି କୁହାଯାଇଥାଏ। ସେହି ଅଞ୍ଚଳକୁ ଚାଷ ପାଇଁ ପାଣି ଯୋଗାଇବାକୁ ଏହି ବ୍ୟାରେଜ ନିର୍ମାଣ ହୋଇଥିଲା। ଏହାଦ୍ୱାରା ଏବେ ବହୁ ଚାଷୀ ଉପକୃତ ହୋଇପାରୁଛନ୍ତି।
– ହାଡ଼ିବନ୍ଧୁ ଦଳାଇ, ଲଞ୍ଚ ହେଲ୍‌ପର
ହୀରାକୁଦ ଜଳଭଣ୍ଡାରରୁ ଗେଟ ଖୋଲାଗଲେ ମୁଣ୍ଡଳିରେ ପାଣି ପହଞ୍ଚତ୍ବାକୁ ପ୍ରାୟ ୩୬ ଘଣ୍ଟା ଲାଗିଥାଏ। ଏଠାରେ ବନ୍ୟାଜଳ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କେତେ ଉଚ୍ଚତାରେ ଓ କେତେ ପରିମାଣର ବନ୍ୟାଜଳ ପ୍ରଭାହିତ ହେଉଛି ତାହା ଏଠାରୁ ଜାଣି ହେଉଛି। ବର୍ଷା ଦିନକୁ ଛାଡି ଅନ୍ୟ ଦିନରେ ମହାନଦୀ ପାଣିକୁ ଅଟକାଇ ପୁରୀ ମେନ କେନାଲରେ ମୁଣ୍ଡଳିରୁ ପୁରୀ ପର୍ଯ୍ୟନ୍ତ ଚାଷୀଙ୍କୁ ଯୋଗାଇ ଦିଆଯାଉଛି।
– ନିରଞ୍ଜନ ଦାଶ, କନିଷ୍ଠ ଯନ୍ତ୍ରୀ, ପ୍ରାଚୀ ଡିଭିଜନ

ମନୋଜ କୁମାର ସ୍ବାଇଁ