ମୁଣ୍ଡକୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

 

ଅଥର୍ବ ବେଦର ଶୌନକ ଶାଖାରୁ ଆନୀତ ତିନି ଅଧ୍ୟାୟ ବିଶିଷ୍ଟ ମୁଣ୍ଡକ ଉପନିଷଦର ମନ୍ତ୍ରସଂଖ୍ୟା ଚଉଷଠି। ଗୁରୁଶିଷ୍ୟ ପରମ୍ପରାରେ ଆଧାରିତ ଋଷି ଅଙ୍ଗିରା ଶିଷ୍ୟ ଶୌନକଙ୍କୁ ପ୍ରଦାନ କରିଥିବା ବ୍ରହ୍ମବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଏହି ଉପନିଷଦର ବିଷୟବସ୍ତୁ। ମୁଣ୍ଡକ ଉପନିଷଦ ମୁଖ୍ୟତଃ ତିନିଗୋଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ-ବ୍ରହ୍ମବିଦ୍ୟା, ବ୍ରହ୍ମଙ୍କ ସ୍ବରୂପ ଓ ବ୍ରହ୍ମପ୍ରାପ୍ତିର ମାର୍ଗ। ବ୍ରହ୍ମବିଦ୍ୟା ଦୁଇ ପ୍ରକାର-ପରାବିଦ୍ୟା ଓ ଅପରାବିଦ୍ୟା। ଚାରିବେଦ (ଋକ୍‌, ଯଜୁଃ, ସାମ, ଅଥର୍ବ) ଓ ଷଡ଼ ବେଦାଙ୍କ (ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ) ସମ୍ବନ୍ଧୀୟ ଜ୍ଞାନ ହେଉଛି ଅପରାବିଦ୍ୟା। ନିରାକାର ବ୍ରହ୍ମଙ୍କୁ ପାଇବାର ମାର୍ଗ ହେଉଛି ପରାବିଦ୍ୟା। ପରାବିଦ୍ୟାକୁ ଜାଣିବାକୁ ହେଲେ ପ୍ରଥମେ ଅପରାବିଦ୍ୟା ସମ୍ବନ୍ଧରେ ଜ୍ଞାନ ହେବା ଆବଶ୍ୟକ। ଅପରାବିଦ୍ୟା ଶାସ୍ତ୍ର ସମ୍ବନ୍ଧୀୟ ପରୋକ୍ଷ ଜ୍ଞାନ, ମାତ୍ର ପରାବିଦ୍ୟା ଅନୁଭୂତିପୂର୍ଣ୍ଣ ପ୍ରତ୍ୟକ୍ଷ ଜ୍ଞାନ। ଅପରାବିଦ୍ୟା କର୍ମ କୈନ୍ଦ୍ରିକ, ପରାବିଦ୍ୟା ଆତ୍ମଜ୍ଞାନ କୈନ୍ଦ୍ରିକ। ଅପରାବିଦ୍ୟାର ଫଳ ବିଭିନ୍ନ କର୍ମକାଣ୍ଡ ଦ୍ୱାରା ମିଳିଥିବା ବେଳେ ପରାବିଦ୍ୟାର ଫଳ ଅନ୍ତର୍ନିହିତ ବିବେକ, ବିଚାର, ବୈରାଗ୍ୟ ଓ ଅଭ୍ୟାସ ଦ୍ୱାରା ପ୍ରାପ୍ତ ହୋଇଥାଏ। ଅପରାବିଦ୍ୟା ବନ୍ଧନ (ପୁନର୍ଜନ୍ମ)ର କାରଣ ହୋଇଥିବାବେଳେ ପରାବିଦ୍ୟା ମୁକ୍ତି (ମୋକ୍ଷ)ର ମାର୍ଗ।
ଶାସ୍ତ୍ର ବିଧି ଅନୁସାରେ ଇଷ୍ଟ (ଯାଗ-ଯଜ୍ଞାଦି ସକାମ କର୍ମ) ଓ ଆପୂର୍ତ୍ତି (ଯଶ ପ୍ରାପ୍ତି ପାଇଁ କର୍ମ) ଆଦି କର୍ମ ସମ୍ପାଦନ ଦ୍ୱାରା ଅସ୍ଥାୟୀ ସାଂସାରିକ ସୁଖ ମିଳିଥାଏ। ମାତ୍ର ଏହାଦ୍ୱାରା ବ୍ରହ୍ମ ଦର୍ଶନ ହୋଇପାରି ନ ଥାଏ। ଦଦରା ନାବ ସମୁଦ୍ର ପାର କରିବାରେ ଅସମର୍ଥ ପରି ବିଭିନ୍ନ କର୍ମକାଣ୍ଡ ଅମୃତ୍ୱ ପ୍ରାପ୍ତି କରିବାରେ ଅସମର୍ଥ। କର୍ମକାଣ୍ଡି ପୁରୋହିତମାନେ ଯଜମାନରୂପୀ ଶିଷ୍ୟକୁ ସତ୍‌ମାର୍ଗ ଦେଖାଇବାରେ ଅସମର୍ଥ। ବ୍ରହ୍ମର ସ୍ବରୂପକୁ ବର୍ଣ୍ଣନା କରି ଋଷି କହିଛନ୍ତି, ଯେଉଁ ତତ୍ତ୍ୱ ଅଦୃଶ୍ୟ, ଅଗ୍ରାହ୍ୟ, ଗୋତ୍ର ରହିତ, ବର୍ଣ୍ଣ ରହିତ, ନାମ ରହିତ, ଚକ୍ଷୁ ଓ କର୍ଣ୍ଣ ରହିତ, ନିତ୍ୟ, ବିଭୁ, ସର୍ବଗତ, ଅବ୍ୟକ୍ତ, ଅବ୍ୟୟ ଓ ଅତ୍ୟନ୍ତ ସୂକ୍ଷ୍ମ-ସେ ହେଉଛନ୍ତି ବ୍ରହ୍ମ। ଋଷି ବ୍ରହ୍ମଙ୍କୁ ବିରାଟ ପୁରୁଷ ଭାବରେ ବର୍ଣ୍ଣନା କରି ସମଗ୍ର ବ୍ରହ୍ମାଣ୍ଡକୁ ତାଙ୍କର ଶରୀର ଭାବରେ କଳ୍ପନା କରିଛନ୍ତି। ସେହି ବିରାଟ ପୁରୁଷଙ୍କର ଦୌଲୋକ ମସ୍ତିଷ୍କ, ଅନ୍ତରୀକ୍ଷ ହୃଦୟ, ପୃଥିବୀ ପାଦ, ସୂର୍ଯ୍ୟ-ଚନ୍ଦ୍ର ଚକ୍ଷୁ, ଦିଗଗଣ ଶ୍ରୋତ୍ର, ବେଦ ଜ୍ଞାନ ବାଣୀ ଓ ବାୟୁ ପ୍ରାଣ। ଏହାର ଅର୍ଥ ବିଶ୍ୱ ବ୍ରହ୍ମାଣ୍ଡ। ସମସ୍ତ ଚର ଓ ଅଚର ଜଗତ ବ୍ରହ୍ମଙ୍କର ଅଂଶବିଶେଷ। ବ୍ରହ୍ମାଙ୍କଠାରୁ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି। ଉଦାହରଣ ମାଧ୍ୟମରେ ଋଷି ବର୍ଣ୍ଣନା କରି କହିଛନ୍ତି ଯେ, ବୁଢିଆଣି ଯେପରି ନିଜେ ଅପରିବର୍ତ୍ତିତ ରହି ନିଜର ଶରୀରରୁ ନିର୍ଗତ ଲାଳରୁ ଜାଲ ନିର୍ମାଣ କରେ ଓ ପୁନର୍ବାର ନିଜ ଇଚ୍ଛା ଅନୁସାରେ ତାହାକୁ ଗର୍ଭସ୍ଥ କରେ, ଠିକ୍‌ ସେହିପରି ବ୍ରହ୍ମ ନିଜ ଇଚ୍ଛା ଶକ୍ତିରେ ସୃଷ୍ଟି ନିର୍ମାଣ କରନ୍ତି ଓ କାଳାନ୍ତେ ଏହାର ବିନାଶ କରିଥାଆନ୍ତି।
ଅଗ୍ନିରୁ ସୃଷ୍ଟି ସ୍ଫୁଲିଙ୍ଗ ଅଗ୍ନିରେ ପୁନଃ ପ୍ରବେଶ ତଥା ସମୁଦ୍ର ଜଳରୁ ସୃଷ୍ଟି ତରଙ୍ଗ ସମ୍ବନ୍ଧରେ ସମୁଦ୍ରରେ ପୁନଃ ନିର୍ଲିପ୍ତ ହେବାପରି ସମସ୍ତ ଚର ଓ ଅଚର ଜଗତ ବ୍ରହ୍ମାଙ୍କଠାରୁ ସୃଷ୍ଟି ହୋଇ ପୁନର୍ବାର ବ୍ରହ୍ମରେ ଲୀନ ହୋଇଥାଆନ୍ତି। ବୀଜର ଗୁଣ ଅନୁସାରେ ଯେପରି ବିଭିନ୍ନ ପ୍ରକାର ବୃକ୍ଷଲତା ଜନ୍ମନିଅନ୍ତି, ଠିକ୍‌ ସେହିପରି ଆତ୍ମା ନିଜ ପୂର୍ବ ଜନ୍ମର କର୍ମଫଳ ଅନୁସାରେ ବିଭିନ୍ନ ପ୍ରକାର ଯୋନିରେ ଜନ୍ମ ନେଇଥାଏ। ଅର୍ଥାତ୍‌ ବ୍ରହ୍ମ ଜୀବର କର୍ମଫଳ ଦାତା ଅଟନ୍ତି। ଜୀବନ୍ତ ବ୍ୟକ୍ତିର ଶରୀରରେ ନଖ ଓ ଲୋମ ଆପେ ଆପେ ସୃଷ୍ଟି ହେବାପରି ବ୍ରହ୍ମଙ୍କର ମାୟାଶକ୍ତି ସାହାଯ୍ୟରେ ସମଗ୍ର ଜଗତ ସୃଷ୍ଟି ହୋଇଥାଏ। ବ୍ରହ୍ମ ସୃଷ୍ଟିର ନିମିତ୍ତ କାରଣ ହୋଇଥିବା ବେଳେ ପ୍ରକୃତି ସୃଷ୍ଟିର ଉପାଦାନ କାରଣ। ଆତ୍ମା ଓ ବ୍ରହ୍ମ ଅଭେଦ୍ୟ ହେଲେ ମଧ୍ୟ ଶରୀରରୂପୀ ବୃକ୍ଷରେ ଉଭୟେ ଯଥାକ୍ରମେ ଭୋକ୍ତା ଓ ଦ୍ରଷ୍ଟା ଭାବରେ ବିଦ୍ୟମାନ। ଆତ୍ମାକୁ ଆଶ୍ରୟ କରି ପଞ୍ଚପ୍ରାଣ ଶରୀରକୁ ଜୀବିତ ରଖିଥାଆନ୍ତି। ଏହି ଆତ୍ମା ମନୁଷ୍ୟ ଶରୀରର ହୃଦୟ ଗୁମ୍ଫାରେ ସୂକ୍ଷ୍ମ ଶକ୍ତି ଭାବରେ ବିଦ୍ୟମାନ।
ବ୍ରହ୍ମପ୍ରାପ୍ତି ସମ୍ବନ୍ଧରେ ଋଷି କହିଛନ୍ତି ଯେ, ଜିଜ୍ଞାସୁ ଶିଷ୍ୟ ନିଜର ବିବେକକୁ ଜାଗ୍ରତ କରି ତପୋନିଷ୍ଠ, ବ୍ରହ୍ମନିଷ୍ଠ ଓ ଶ୍ରୋତ୍ରିୟ ଗୁରୁଙ୍କଠାରୁ ଶ୍ରଦ୍ଧାର ସହିତ ସଦ୍‌ଜ୍ଞାନ ଆହରଣ କରି ନିରନ୍ତର ଅଭ୍ୟାସ ଓ ବୈରାଗ୍ୟର ପନ୍ଥା ଅବଲମ୍ବନ କଲେ ବ୍ରହ୍ମପ୍ରାପ୍ତି ପାଇଁ ସକ୍ଷମ ହୋଇଥାଏ। ଆତ୍ମଉପଲବ୍ଧି ପାଇଁ ସତ୍ୟ, ଶ୍ରଦ୍ଧା, ତପ, ବ୍ରହ୍ମଚର୍ଯ୍ୟ ତଥା ଯଥାର୍ଥ ଜ୍ଞାନ ଏକାନ୍ତ ଆବଶ୍ୟକ। ଅଧ୍ୟୟନ, ଅଧ୍ୟାପନା, ମନ୍ତ୍ରପାଠ ଓ ପାଣ୍ଡିତ୍ୟରୁ ଆତ୍ମଜ୍ଞାନ ମିଳି ନ ଥାଏ। ହୃଦୟରେ ଅନାବିଳ ଭକ୍ତିଭାବ ସଂଚାରିତ ହେଲେ ପରମାତ୍ମା ସ୍ବୟଂ ନିଜର ସ୍ବରୂପ ପ୍ରକାଶ କରିଥାଆନ୍ତି। ପ୍ରଭୁବତା ସହିତ ଶାରୀରିକ ଓ ମାନସିକ ସ୍ତରରେ ବଳବାନ ବ୍ୟକ୍ତି ବ୍ରହ୍ମପ୍ରାପ୍ତି ପାଇଁ ଯୋଗ୍ୟ ଅଟନ୍ତି। ଆଡ଼ମ୍ବରପୂର୍ଣ୍ଣ ଜୀବନ ପ୍ରଭୁପ୍ରାପ୍ତିରେ ପ୍ରତିବନ୍ଧକ। ଶରୀରକୁ କଷ୍ଟ ଦେଇ ବା ବିଭିନ୍ନ ଯାଗଯଜ୍ଞାଦି କର୍ମକାଣ୍ଡ ଦ୍ୱାରା ବ୍ରହ୍ମପ୍ରାପ୍ତି କରିବା କଷ୍ଟସାଧ୍ୟ। ଉପନିଷଦରେ ବର୍ଣ୍ଣିତ ପ୍ରଣବ (ଓଁକାର) ଜପ ଦ୍ୱାରା ମନ ଶାନ୍ତ ଓ ନିଶ୍ଚଳ ହେବା ଦ୍ୱାରା ଆତ୍ମା ପରମାତ୍ମାଙ୍କର ସମିପବର୍ତ୍ତୀ ହୋଇଥାଏ। ଋଷି ପ୍ରଣବକୁ ମହାସ୍ତ୍ର (ଧନୁ), ଆତ୍ମାକୁ ଶର ଓ ବ୍ରହ୍ମକୁ ଲକ୍ଷ୍ୟ ଭାବରେ ବର୍ଣ୍ଣନା କରିଛନ୍ତି। ନଦୀଗୁଡ଼ିକ ସମୁଦ୍ରରେ ମିଶିବା ପରେ ଯେପରି ନିଜର ନାମ ଓ ରୂପକୁ ହରାଇ ବସନ୍ତି, ଠିକ୍‌ ସେହିପରି ବ୍ରହ୍ମପ୍ରାପ୍ତି ବ୍ୟକ୍ତି ନିଜର ଅସ୍ତିତ୍ୱ ହରାଇ ସ୍ବୟଂ ବ୍ରହ୍ମ ପାଲଟିଯାଇଥାଏ। ଜୀବାତ୍ମା ଓ ପରମାତ୍ମାର ମିଳନ ହେଉଛି ପରମ ସାମ୍ୟତା। ଏହି ଅବସ୍ଥାରେ ଜଗତର ବିବିଧତା ଓ ବିଭିନ୍ନତା ଉଭେଇ ଯାଇଥାଏ। ଆଧ୍ୟାତ୍ମିକ କ୍ଷୁଧା ଆସିଲେ ବ୍ରହ୍ମ ଦର୍ଶନର ପଥ ସୁଗମ ହୋଇଥାଏ। ଏହା ହେଉଛି ମୁଣ୍ଡକ ଉପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri