ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ ଟିମ୍ରୁ ମଧ୍ୟ ତାଙ୍କ ନାଁ ଗାଏବ ରହିଛି। ୨୦୨୬-୨୭ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ ପାଇଁ ମୁମ୍ବାଇ ଘୋଷଣା କରିଥିବା ଦଳରେ ସୂର୍ଯ୍ୟକୁମାରଙ୍କୁ ସ୍ଥାନ ମିଳିନାହିଁ। ମୁମ୍ବାଇ ଅକ୍ଟୋବର ୧୧ରୁ ୧୫ ତାରିଖ ମଧ୍ୟରେ ଚଣ୍ଡିଗଡ଼ ବିପକ୍ଷରେ ରଣଜୀ ଟ୍ରଫିର ନୂଆ ସିଜନ ଆରମ୍ଭ କରିବ। ଏହି ମ୍ୟାଚ ପାଇଁ ଘୋଷିତ ଦଳର ନେତୃତ୍ୱ ଦାୟିତ୍ୱ ସିଦ୍ଧେଶ ଲାଡଙ୍କୁ ଦିଆଯାଇଥିବା ବେଳେ ଯୁବ ବ୍ୟାଟର ଆୟୁଷ ମହାତ୍ରେଙ୍କୁ ଉପଅଧିନାୟକ କରାଯାଇଛି।
ରିପୋର୍ଟ ଅନୁସାରେ, ସୂର୍ଯ୍ୟକୁମାର ଯାଦବ ଆଗାମୀ ରଣଜୀ ସିଜନ ପାଇଁ ନିଜକୁ ଉପଲବ୍ଧ ରଖିଥିଲେ। ଏହା ସତ୍ତ୍ୱେ ଚଣ୍ଡିଗଡ଼ ବିପକ୍ଷ ପ୍ରଥମ ମ୍ୟାଚ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ। ଫଳରେ ତାଙ୍କ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମୁମ୍ବାଇ ଏପର୍ଯ୍ୟନ୍ତ କେବଳ ପ୍ରଥମ ମ୍ୟାଚ ପାଇଁ ହିଁ ଦଳ ଘୋଷଣା କରିଛି। ତେଣୁ ଆଗାମୀ ମ୍ୟାଚ୍ଗୁଡ଼ିକରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା ଉପରେ ନଜର ରହିବ।
ୱାଇଡ ବଲ୍ରେ ସିଧା ଛକା! କ୍ରିକେଟ୍ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ରେ ଚାମ୍ପିଅନ ହୋଇଥିଲା। ବିଶ୍ୱକପ ଫାଇନାଲ ହିଁ ଭାରତୀୟ ଦଳ ପାଇଁ ତାଙ୍କର ଶେଷ ମ୍ୟାଚ ଥିଲା। ଏହା ପରେ ତାଙ୍କୁ ଆଉ ଟିମ ଇଣ୍ଡିଆରେ ସୁଯୋଗ ମିଳିନାହିଁ। ସୂର୍ଯ୍ୟକୁମାରଙ୍କ ପରେ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କ ପାଇଁ ପୁଣିଥରେ ଟିମ ଇଣ୍ଡିଆକୁ ଫେରିବା କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି।
ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ ପାଇଁ ମୁମ୍ବାଇ ଦଳରେ ଯଶସ୍ବୀ ଜୟସ୍ବାଲ, ମୁଶୀର ଖାନ ଓ ସରଫରାଜ ଖାନଙ୍କ ଭଳି ଖେଳାଳି ରହିଛନ୍ତି। ଏହାସହ ଶମ୍ସ ମୁଲାନୀ, ତନୁଷ କୋଟିଆନ ଓ ତୁଷାର ଦେଶପାଣ୍ଡେ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।