Categories: ଖେଳ

ଆର୍‌ସିବିକୁ ହରାଇଲା ମୁମ୍ବାଇ

ମୁମ୍ବାଇ,୨୨ା୩(ପି.ଟି.): ଆମେଲିଆ କେର୍‌ଙ୍କ ଘାତକ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଜିତି ୮ମ୍ୟାଚରୁ ୬ ବିଜୟ ସହିତ ୧୨ ପଏଣ୍ଟ ହାସଲ କରିଛି ମୁମ୍ବାଇ। ଆମେଲିଆ କେରଙ୍କ ଅଲରାଉଣ୍ଡ ପ୍ରଦର୍ଶନ(୩/୨୨ ଓ ୩୧ *ରନ୍‌) ବଳରେ ମୁମ୍ବାଇ ୪ ଉଇକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୨୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ୧୬.୩ ଓଭରରେ ଆବଶ୍ୟକ ରନ୍‌ କରି ନେଇଥିଲା ମୁମ୍ବାଇ। ଆରସିବି ପକ୍ଷରୁ ଏଲିସ୍‌ ପେରୀ ଓ ରିଚା ଘୋଷ ପ୍ରତ୍ୟେକ ୨୯ ରନ୍‌ ଲେଖାଏ ସଂଗ୍ରହ କରିଥିଲେ। ଅଧିନାୟିକା ସ୍ମୃତି ମନ୍ଧାନା ୨୪ ରନ୍‌ କରିଥିଲେ। ଆମେଲିଆ କେର୍‌ ୩ ଉଇକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ। ସ୍ମୃତି ମାନ୍ଧନା(୨୪), ହିଥର ନାଇଟ୍‌(୧୨) ଓ କନିକା ଆହୁଜା(୧୨)ଙ୍କୁ ଆଉଟ କରିଥିବା ବେଳେ ସୋଫି ଡିଭାଇନଙ୍କୁ ରନ୍‌ ଆଉଟ କରିଥିଲେ କେର୍‌। ନାଟାଲି ସ୍କିଭର ଓ ଇସି ଓଙ୍ଗ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୨୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ପକ୍ଷରୁ ଦୁଇ ଓପନର ୟାସ୍ତିକା ଭାଟିଆ (୩୦) ଓ ହିଲି ମାଥ୍ୟୁସ୍‌(୨୪) ପ୍ରଥମ ଉଇକେଟରେ ୫୩ ରନ୍‌ ଯୋଡିଥିଲେ। ପରବର୍ତ୍ତୀ ୨୦ ରନ୍‌ ମଧ୍ୟରେ ଦଳ ୪ ଉଇକେଟ ହରାଇ ସଙ୍କଟରେ ପଡିଥିବା ବେଳେ ଅପରାଜିତ ୩୧ ରନ୍‌ର ଇନିଂସ ଖେଳିଥିଲେ ଆମେଲିଆ। ଆରସିବି ପକ୍ଷରୁ କନିକା ଆହୁଜା ୨ ଉଇକେଟ ନେଇଥିବା ବେଳେ ମେଗାନ୍‌ ଶୁଟ୍‌, ଶ୍ରେୟାଙ୍କା ପାଟିଲ, ଏଲିସ୍‌ ପେରୀ ଓ ଆଶା ଶୋଭନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆମେଲିଆ କେରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଆରସିବି ୨୦ ଓଭରରେ ୧୨୫/୯(ଏଲିସ ପେରୀ-୨୯, ରିଚା ଘୋଷ-୨୯, ସ୍ମୃତି ମନ୍ଧାନା-୨୪, ଆମେଲିଆ କେର୍‌-୩/୨୨, ନାଟାଲି ସ୍କିଭର ବ୍ରଣ୍ଟ-୨/୨୪, ଇସି ଓଙ୍ଗ-୨/୨୬)। ମୁମ୍ବାଇ ଇଣ୍ଡିଆନ୍ସ ୧୬.୩ ଓଭରରେ ୧୨୯/୬ (ଆମେଲିଆ କେର୍‌-୩୧*, ୟାସ୍ତିକା ଭାଟିଆ-୩୦, ହିଲି ମାଥ୍ୟୁସ୍‌-୨୪, କନିକା ଆହୁଜା-୨/୫, ମେଗାନ୍‌ ଶୁଟ୍‌-୧/୧୯, ଶ୍ରେୟଙ୍କା ପାଟିଲ୍‌-୧/୨୬)।

Share