Categories: ଜାତୀୟ

ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସିଲା ଧମକପୂର୍ଣ୍ଣ କଲ୍‌: ଆଲର୍ଟରେ ପୋଲିସ

ମୁମ୍ବାଇ,୭।୨: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ଜଣାପଡ଼ିଛି। ଏହାପରେ ବିମାନ ବନ୍ଦରରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ବିମାନ ବନ୍ଦର କେନ୍ଦ୍ରକୁ ଭାରତୀୟ ମୁଜାହିଦ୍ଦିନ ନାମକ ଆତଙ୍କବାଦୀ ସଂଗଠନରୁ ଆସିଥିଲା। ଏହି ଖବର ଆସିବା ପରେ ମୁମ୍ବାଇ ପୋଲିସ ସମେତ ଏଜେନ୍ସିମାନେ ଆଲର୍ଟ ମୋଡରେ ଆସିଯାଇଛନ୍ତି। ସୂଚନାଯୋଗ୍ୟ, ସୋମବାର ରାତି ପ୍ରାୟ ୧୦ଟାରେ ବିମାନବନ୍ଦର କେନ୍ଦ୍ରକୁ ଏହି କଲ୍‌ ଆସିଥିଲା। ବ୍ୟକ୍ତି ଜଣକ ତାଙ୍କ ନାମ ଇରଫାନ ଅହମ୍ମଦ ଶେଖ ବୋଲି କହିଥିଲେ। ସେ ଭାରତୀୟ ମୁଜାହିଦ୍ଦିନ ନାମକ ଆତଙ୍କବାଦୀ ସଂଗଠନର ସଦସ୍ୟ। ନିଜ ବିଷୟରେ କହିବା ପରେ, ବ୍ୟକ୍ତି ଜଣକ ସନ୍ଦେହଜନକ ଭାବରେ କୋଡ ଓ୍ବାର୍ଡ ବ୍ୟବହାର କରି କଥା ହୋଇଥିଲେ। ଯାହାକୁ କଲର୍‌ ବୁଝିବାକୁ ଅସମର୍ଥ ହୋଇଥିଲେ। ଅନ୍ୟପଟେ ବିମାନବନ୍ଦର କେନ୍ଦ୍ରର ସଦସ୍ୟ ଏ ବିଷୟରେ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ବିମାନବନ୍ଦରର ସମସ୍ତ ଏଜେନ୍ସିକୁ ସତର୍କ କରାଯାଇଥିଲା। ଆଇପିସିର ଧାରା ୫୦୫(୧)ଅନୁଯାୟୀ ଏହି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Share