୬ ମ୍ୟାଚ୍‌ ହାରିବା ସତ୍ତ୍ୱେ ପ୍ଲେଅଫ୍‌ରେ ହୋଇପାରେ ମୁମ୍ବାଇର ଏଣ୍ଟ୍ରି, ଜାଣନ୍ତୁ ସମୀକରଣ…

ନୂଆଦିଲ୍ଲୀ,୩୦।୪: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୪୩ ରନ କରିବା ପରେ ବି ୬ ଉଇକେଟରେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ସିଜନରେ ୮ଟି ମ୍ୟାଚରୁ ମୁମ୍ବାଇର ଏହା ଷଷ୍ଠ ପରାଜୟ. ଏହି ପରାଜୟ ସହିତ ମୁମ୍ବାଇ ପଏଣ୍ଟ ଟେବୁଲରେ ୯ମ ସ୍ଥାନରେ ପହଞ୍ଚିଛି। ଏମିତିରେ ପ୍ରଶ୍ନ ହେଉଛି ଯେ ପାଞ୍ଚଥରର ଚାମ୍ପିଅନ ମୁମ୍ବାଇ କ’ଣ ଚଳିତ ବର୍ଷ ପ୍ଲେଅଫରେ ପହଞ୍ଚି ପାରିବ ନା ନାହିଁ? କ’ଣ ମୁମ୍ବାଇର ଆଇପିଏଲ୍‌ ୨୦୨୬ରେ ଯାତ୍ରା ଶେଷ ହୋଇଯାଇଛି? ଏହି ସବୁ ପ୍ରଶ୍ନର ଉତ୍ତର ହେଉଛି ‘ନା’ । କାରଣ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ଏବେ ବି ପ୍ଲେଅଫ ଖେଳିବାର ସୁଯୋଗ ଅଛି। ଆସନ୍ତୁ ଜାଣିବା, କ’ଣ ଅଛି ସମୀକରଣ?
ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଚଳିତ ସିଜନରେ ବହୁତ ଖରାପ ରହିଛି। ଏହି ଟିମ କ୍ରମାଗତ ୪ଟି ମ୍ୟାଚ୍‌ ନିଜ ଘରୋଇ ଗ୍ରାଉଣ୍ଡ ୱାଙ୍ଖେଡେରେ ହାରିସାରିଛି। କିନ୍ତୁ ବିଶ୍ୱାସ କରନ୍ତୁ, ଏହି ଟିମ ପାଖରେ ଏବେ ବି ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଅଛି। ଯଦି ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ଲେଅଫରେ ସ୍ଥାନ ପକ୍କା କରିବାର ଅଛି, ତେବେ ତାକୁ ଏବେ ଅବଶିଷ୍ଟ ସମସ୍ତ ୬ଟି ମ୍ୟାଚ୍‌ ଜିତିବାକୁ ପଡିବ। ସମସ୍ତ ୬ଟି ମ୍ୟାଚ ଜିତିଲେ ତା’ର ପଏଣ୍ଟ ୧୬ ହୋଇଯିବ, ଏବଂ ତା’ ପାଖରେ ପ୍ଲେଅଫରେ ପହଞ୍ଚିବାର ପୂରା ସୁଯୋଗ ରହିବ। ଯଦି ଟିମ ଏବେ ଗୋଟିଏ ବି ମ୍ୟାଚ ହାରେ, ତେବେ ଏହି ଟିମର ମାତ୍ର ୧୪ ପଏଣ୍ଟ ହେବ ଏବଂ ତା’ପରେ ପ୍ଲେଅଫରେ ପହଞ୍ଚିବା ପାଇଁ ଅନ୍ୟ ଟିମର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଏଣୁ ସବୁଠାରୁ ସହଜ ରାସ୍ତା ହେଉଛି, ଏହି ଟିମ ବାକି ସମସ୍ତ ୬ଟି ମ୍ୟାଚ ଜିତୁ।
ମୁମ୍ବାଇ ଇଣ୍ଡିଆନ୍ସକୁ ଆଗାମୀ ୬ଟି ମ୍ୟାଚ ମଧ୍ୟରୁ ତିନୋଟି ମ୍ୟାଚ୍‌ ଆରସିବି, ପଞ୍ଜାବ କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ  ବିପକ୍ଷରେ ଖେଳିବ। ମୁମ୍ବାଇ ଇଣ୍ଡିଆନ୍ସକୁ ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗସ, ଲକ୍ଷ୍ନୌ ଏବଂ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ହେବ।ଏହି ଟିମ ଗୁଡିକ ବିପକ୍ଷରେ ମୁମ୍ବାଇ ପାଖରେ ଜିତିବାର ସୁଯୋଗ ଅଛି। ବର୍ତ୍ତମାନ ମୁମ୍ବାଇକୁ ପ୍ରତି ମ୍ୟାଚକୁ ନକ୍‌ଆଉଟ ଭଳି ଖେଳିବାକୁ ହେବ। ଏହି ଟିମର ଆଗାମୀ ମୁକାବିଲା ୨ ମଇରେ ଚେନ୍ନାଇ ସୁପରକିଙ୍ଗସ ସହିତ ଅଛି ଏବଂ ଏହିଠାରୁ ମୁମ୍ବାଇକୁ ନୂଆ ଆରମ୍ଭ କରିବାକୁ ହେବ।
ମୁମ୍ବାଇ ଇଣ୍ଡିଆନ୍ସର ଏତେ ଖରାପ ପ୍ରଦର୍ଶନ ପରେ ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଦାବି ହେଉଛି। ହାର୍ଦ୍ଦିକ ବର୍ଷ ୨୦୨୪ରେ ଟିମର ଅଧିନାୟକ ହୋଇଥିଲେ । ଗତ ଦୁଇ ସିଜନରେ ଟିମର ଅବସ୍ଥା ଖରାପ ଥିଲା। ଏଥର ମଧ୍ୟ ସେମିତି ହେଉଛି। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଏତେ ଖରାପ ଅବସ୍ଥା ପାଇଁ କ’ଣ କେବଳ ହାର୍ଦ୍ଦିକ ପାଣ୍ଡ୍ୟା ଦାୟୀ? ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଏବଂ ଆଇପିଏଲରେ କମେଣ୍ଟ୍ରି କରୁଥିବା ସାଇମନ ଡୁଲଙ୍କ ମତରେ, ହାର୍ଦ୍ଦିକ ଏକୁଟିଆ ମୁମ୍ବାଇର ଏହି ଅବସ୍ଥା ପାଇଁ ଦାୟୀ ନୁହନ୍ତି। ସେ କହିଛନ୍ତି ଯେ,”ମୁଁ ଭାବୁଛି ଏଠାରେ ସମସ୍ତଙ୍କର ଭୁଲ ଅଛି। ପ୍ରଥମେ ଟିମ ମ୍ୟାନେଜମେଣ୍ଟର ଦାୟିତ୍ୱ ଥାଏ, କାରଣ ସେମାନେ ହିଁ ରୋହିତ ଶର୍ମାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ ଅଧିନାୟକ କଲେ।  ଅକ୍ସନରେ ଏହି ଟିମ ଭଲ କରିଥିଲା, ଏହି ଟିମ ପେପର ଉପରେ ଭଲ ଦେଖାଯାଉଛି। କିନ୍ତୁ ଗୋଟିଏ ବର୍ଷ ଖରାପ ହେବା ଚଳିବ, ଦ୍ୱିତୀୟ ବର୍ଷ ଏହା ଚିନ୍ତାର ବିଷୟ ହୋଇଥାଏ, କିନ୍ତୁ ତୃତୀୟ ଥର ଏହା ବହୁତ ଖରାପ।”
Dharitri – Odisha’s No.1 Odia Daily