Categories: ଖେଳ

ରାହୁଲଙ୍କ ଚମତ୍କାର ଶତକ:ମୁମ୍ବାଇକୁ ୧୬୯ ରନ୍‌ର ଟାର୍ଗେଟ

ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ନିର୍ଦ୍ଧାରିତ ଓଭରରେ ୬ ଉଇକେଟର୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ ଚମତ୍କାର ଫର୍ମ ବଜାୟ ରଖି ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ୬୧ଟି ବଲରେ ନିଜର ଶତକ ପୂରଣ କରିଥିଲେ। ଛକା ମାରି ଶତକ ହାସଲ କରିଥିବା ରାହୁଲ ୬୨ ବଲ୍‌ରୁ ୧୦୩ ରନ୍‌ କରି ଅପରାଜିତ ରହିଥିଲେ। ସେ କେବଳ ମୁମ୍ବାଇ ବିପକ୍ଷରେ ଉଭୟ ଶତକ ହାସଲ କରିଛନ୍ତି। କୋହଲିଙ୍କ ପରେ ସେ କେବଳ ଦ୍ୱିତୀୟ ଖେଳାଳି, ଯିଏକି ଗୋଟିଏ ସିଜନରେ ସମାନ ଦଳ ବିପକ୍ଷରେ ଦୁଇଟି ଶତକ ହାସଲ କରିଛନ୍ତି। ମୁମ୍ବାଇ ପକ୍ଷରୁ କିରନ ପୋଲାର୍ଡ ଏବଂ ରିଲେ ମେରେଡିଥ୍‌ ଦୁଇଟି ଲେଖାଏ ଉଇକେଟ୍‌ ନେଇଥିଲେ।
ଆଇପିଏଲ ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ସିଜିନର ପ୍ରଥମ ବିଜୟ ଖୋଜୁଛି। ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ନିଜର ସମସ୍ତ ସାତୋଟି ମ୍ୟାଚ ହାରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି। ଅନ୍ୟପକ୍ଷରେ, ଲିଗର ନୂତନ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ଏପର୍ଯ୍ୟନ୍ତ ଯାତ୍ରା ବହୁତ ଭଲ ହୋଇଛି। ଦଳ ସାତୋଟି ମ୍ୟାଚ ମଧ୍ୟରୁ ଚାରିଟି ଜିତି ପଞ୍ଚମ ସ୍ଥାନରେ ଅଛି।

Share