Categories: ଖେଳ

ଚେନ୍ନାଇ ବିପକ୍ଷରେ ଶେଷ ବଲ୍‌ରେ ଜିତିଲା ମୁମ୍ବାଇ: ହିଟ୍‌ମ୍ୟାନ୍‌ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୨।୫: ଶନିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏଥିରେ ବାଜିମାରିଥିଲା ରୋହିତ ଶର୍ମାଙ୍କ ଦଳ। ଚେନ୍ନାଇ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨୧୮ ରନ୍‌ କରିଥିଲା। ଜବାବରେ ମୁମ୍ବାଇ ନିର୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୧୯ରନ୍‌ କରିନେଇଥିଲା। ଏହି ବିଜୟ ଯୋଗୁ ମୁମ୍ବାଇ ଟିମ୍‌ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି। ତେବେ ଏହି ବିଜୟକୁ ନେଇ ଅଧିନାୟକ ରୋହିତ ପ୍ରତିକ୍ରିୟାରେ କହିଛନ୍ତି, ମୋ ଜୀବନର ସବୁଠାରୁ ରୋମାଞ୍ଚକ ମ୍ୟାଚ୍‌ ମଧ୍ୟରୁ ଏହା ଗୋଟିଏ। ମୁଁ ପୂର୍ବରୁ ଏଭଳି କିଛି ଦେଖି ନ ଥିଲି। ପୋଲାର୍ଡ ଅବିଶ୍ୱସନୀୟ ପାଳି ଖେଳିଥିଲେ। ବାହାରେ ବସି ଦେଖିବା ସୁନ୍ଦର ଅନୁଭୂତି ଦେଇଥିଲା। ଖେଳାଳିମାନେ ଉଲ୍ଲେଖନୀୟ ପ୍ରୟାସ କରିଥିଲେ। ପିଚ୍‌ ଭଲ ଥିଲା। ମଇଦାନ ଛୋଟ ଥିଲା। ପ୍ରଥମରୁ ଭଲ ଖେଳିବାକୁ ଚାହୁଁଥିଲୁ। ଶେଷରେ ଯାହା ହେଲା ସମସ୍ତେ ଦେଖିଛନ୍ତି। ଭଲ ପିଚ୍‌ ଥିବାରୁ ଇଚ୍ଛା ମୁତାବକ ଖେଳ ବୋଲି ବ୍ୟାଟ୍ସମ୍ୟାନ୍‌ଙ୍କୁ କୁହାଯାଇଥିଲା।

Share