Categories: ଜାତୀୟ

ବମ୍ବେ ହାଇକୋର୍ଟ ରାୟ ସ୍ଥଗିତ

ନୂଆଦିଲ୍ଲୀ,୨୮।୧(ପି.ଟି.): ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ଅନୁଯାୟୀ ଚର୍ମକୁ ସ୍ପର୍ଶ ନ କରି ନାବାଳିକାଙ୍କ ବକ୍ଷସ୍ଥଳ ଛୁଇଁବା ଯୌନ ଅପରାଧ ନୁହେଁ ବୋଲି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ କହିବା ସହ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଥିଲେ। ଏଭଳି ରାୟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହୋଇଥିଲା। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନ୍‌ଙ୍କ ଖଣ୍ଡପୀଠରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏହା ଉପସ୍ଥାପନ କଲା ପରେ ସୁପ୍ରିମକୋର୍ଟ ବୁଧବାର ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ସର୍ବୋଚ୍ଚ ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ଜାରି କରିବା ସହ ନାଗପୁର ବେଞ୍ଚଙ୍କ ଜାନୁୟାରୀ ୧୯ ତାରିଖ ରାୟ ବିରୋଧରେ ଅପିଲ୍‌ କରିବା ପାଇଁ ଆଟର୍ନି ଜେନେରାଲଙ୍କୁ ଅନୁମତି ଦେଇଛନ୍ତି। ମାମଲା ଅନୁଯାୟୀ ୨୦୨୦ ଫେବୃୟାରୀରେ ନାଗପୁରର ଜଣେ ୩୯ ବର୍ଷୀୟ ବ୍ୟକ୍ତି ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତଳକୋର୍ଟ ମାମଲାର ବିଚାର କରି ପୋକ୍ସୋ ଆଇନର ଧାରା ୮ ଏବଂ ଆଇପିସିର ଧାରା ୩୫୪ରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଅଭିଯୁକ୍ତ ଉକ୍ତ ରାୟ ବିରୋଧରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଆବେଦନ କରିଥିଲେ। ଅଭିଯକ୍ତ ପୀଡ଼ିତାଙ୍କ ସାଲଓ୍ବାର ଖୋଲିବାରେ ବିଫଳ ହୋଇ ଉପରୁ ସ୍ତନକୁ ସ୍ପର୍ଶ କରିଥିଲେ। ଏହା ପ୍ରତ୍ୟକ୍ଷ ଶାରୀରିକ ସ୍ପର୍ଶ ନୁହେଁ ଦର୍ଶାଇ ନାଗପୁର ବେଞ୍ଚ୍‌ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଥିଲେ। ପୋକ୍ସୋ ଆଇନରେ କଠୋର ଦଣ୍ଡ ଦେବା ପାଇଁ ପକ୍କା ପ୍ରମାଣ ଓ ଗୁରୁତର ଅଭିଯୋଗ ଆବଶ୍ୟକ ବୋଲି ନାଗପୁର ବେଞ୍ଚ୍‌ ବିଚାରପତି ପୁଷ୍ପା ଗଣେଦିଓ୍ବାଲା କହିଥିଲେ। ତେବେ ଅଭିଯୁକ୍ତ ଜଣେ ମହିଳାଙ୍କ ପବିତ୍ରତା ନଷ୍ଟ କରିଥିବାରୁ ଆଇପିସିର ଧାରା ୩୫୪ ଅନୁଯାୟୀ ଦୋଷୀସାବ୍ୟସ୍ତ କରି ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ।

Share