Categories: ଖେଳ

ମୁମ୍ବାଇ-ଗୋଆ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୯ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ମୁମ୍ବାଇ ସିଟି ଏଫ୍‌ସି ଓ ଏଫ୍‌ସି ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୩ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ପଏଣ୍ଟ ବଣ୍ଟୁଆରା ହୋଇଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ମୁମ୍ବାଇ ଦଳ ତରଫରୁ ହୁଗୋ ବୋମୋସ (୨୦ତମ), ଆଡାମ ଲି’ ଫଣ୍ଡ୍ରେ (୨୬ତମ) ଓ ରୋଲିନ୍‌ ବର୍ଗେସ (୯୦ତମ ମିନିଟ) ଏବଂ ଗୋଆ ଦଳ ପକ୍ଷରୁ ଗ୍ଲାନ ମାର୍ଟିନ୍ସ (୪୫ତମ), ଇଗୋର ଆଙ୍ଗୁଲୋ (୫୧ତମ) ଓ ଇଶାନ ପଣ୍ଡିତ (୯୦+୬ତମ ମିନିଟ୍‌) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମ୍ୟାଚ ଡ୍ର ରହିଥିଲେ ହେଁ ଗୋଆ ଦଳ ଅପେକ୍ଷାକୃତ ଭଲ ଖେଳିଥିଲା। ବଲ୍‌ ୬୬% ପ୍ରତିଶତ ସମୟ ଏହି ଦଳର ଖେଳାଳିଙ୍କ ନିୟନ୍ତ୍ରଣରେ ରହିଥିଲା। ଦଳର ମୋଟ ପାସ୍‌ ସଂଖ୍ୟା ୪୪୪ ରହିଥିବାବେଳେ ସେ ତୁଳନାରେ ମୁମ୍ବାଇର ସଂଖ୍ୟା ୨୫୫ ରହିଥିଲା। ମୁମ୍ବାଇ ସିଟି ୧୬ଟି ମ୍ୟାଚରୁ ୩୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବାବେଳେ ଗୋଆ ସମାନ ସଂଖ୍ୟକ ମ୍ୟାଚରୁ ୨୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।

Share