Categories: ଜାତୀୟ

ଗୁଜରାଟ ଡ୍ରଗ୍ସ ଜବତ ଘଟଣାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଭାଜପା

ପାଣଜୀ, ୪ା୧୦: ଗୁଜରାଟର ମୁନ୍ଦ୍ରା ପୋର୍ଟରୁ ଗତ ମାସରେ ପ୍ରାୟ ୩ ହଜାର କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଏହି ଘଟଣା ଉପରୁ ଧ୍ୟାନ ହଟାଇବା ପାଇଁ ଏନ୍‌ସିବି ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍‌ ଶିପ୍‌ରେ ଚଢ଼ାଉ କରିଛି। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ।

ଅଦାନୀ ଗ୍ରୁପ୍‌ ପରିଚାଳିତ ଗୁଜରାଟର କୁଚ୍ଚ ଜିଲା ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଗତ ମାସରେ ୨,୯୮୮.୨୧ କିଲୋଗ୍ରାମର ହେରୋଇନ୍‌ ଜବତ କରିଥିଲା। ଏହାର ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା ହେବ। ଏହି ଘଟଣା ଉପରୁ ଲୋକଙ୍କ ଦୃଷ୍ଟିରୁ ହଟାଇବାକୁ ଏପରି କରାଯାଇଥିବା କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ କହିଛନ୍ତି। ତେବେ ଏତେ ପରିମାଣର ଡ୍ରଗ୍ସ କେଉଁଠୁ ଆସିଲା। କାହିଁକି ଏହାର ତଦନ୍ତ ହେଉନାହିଁ ଏବଂ କେଉଁ କାରଣରୁ ଏଭଳି ସଙ୍ଗିନ ଘଟଣାକୁ ଅଣଦେଖା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁନ୍ଦ୍ରା ବନ୍ଦର ଦେଇ ଡ୍ରଗ୍ସ କାର୍ଟେଲ ଚାଲିଛି। ଆଫଗାନିସ୍ତାନରୁ ଭାରତକୁ ଡ୍ରଗ୍ସ ଚୋରାଚାଲାଣ ହେଉଛି। ଗୁଜରାଟ ଡ୍ରଗ୍ସ ଚୋରା କାରବାରର ହବ୍‌ ପାଲଟିଛି। ଏହି ବାସ୍ତବ ଘଟଣାକୁ ଦୃଷ୍ଟି ଆଢ଼ୁଆଳରେ ରଖିବାକୁ ଏନ୍‌ସିବି ଦ୍ୱାରା ହଠାତ୍‌ ଏପରି ଚଢ଼ାଉ କରାଯାଇଥିବା ଶାମା ଅଭିଯୋଗ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟରେ ଏହା ଘଟୁଥବାବେଳେ ସେମାନେ କାହିଁକି ଏ ପ୍ରସଙ୍ଗରେ ଚୁପ୍‌ ଅଛନ୍ତି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି।

Share