Categories: ଜାତୀୟ

ଅମିତାଭଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସସ୍‌ପେଣ୍ଡ

ମୁମ୍ବାଇ,୧୬।୨: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ଶିନ୍ଦେଙ୍କୁ ନିୟମର ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ମଙ୍ଗଳବାର ତାଙ୍କ ସସ୍‌ପେଣ୍ଡ ଅର୍ଡର ଜାରି କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି।

ଶିନ୍ଦେ ପୂର୍ବରୁ ମୁମ୍ବାଇ ପୋଲିସର ପ୍ରୋଟେକଶନ ଓ ସିକ୍ୟୁରିଟି ବ୍ରାଞ୍ଚରେ ନିଯୁକ୍ତ ଥିଲେ। ସେ ୨୦୧୫ ଠାରୁ ଗତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଦାୟିତ୍ୱରେ ଥିଲେ। ତା’ ପରେ ତାଙ୍କୁ ମୁମ୍ବାଇ ଡିବି ମାର ଥାନାରେ ମୁତୟନ କରାଯାଇଥିଲା।

ତାଙ୍କୁ ନିଲମ୍ବିତ କରାଯିବା ପଛର କାରଣ ପଚରିବାରୁ ଜଣେ ବରିଷ୍ଠ ମୁମ୍ବାଇ ପୋଲିସ ଅଧିକାରୀ କହିଛନ୍ତି, ଶିନ୍ଦେ ତାଙ୍କ ସିନିୟରଙ୍କୁ ନ ଜଣାଇ ଅତିକମ୍‌ରେ ୪ ଥର ଦୁବାଇ ଓ ସିଙ୍ଗାପୁର ଯାଇଥିଲେ। ନିୟମ ଅନୁଯାୟୀ, ବିଦେଶ ଗସ୍ତ କରିବା ପୂର୍ବରୁ ସିନିୟରଙ୍କ ଅନୁମତି ନିହାତି ଦରକାର। ସେ ତାଙ୍କ ସ୍ତ୍ରୀଙ୍କ ନାମରେ ଏକ ସିକ୍ୟୁରିଟି ଏଜେନ୍ସି ଖୋଲିଥିଲେ। ଏହି ସଂସ୍ଥା ବଚ୍ଚନ ପରିବାରକୁ ସୁରକ୍ଷା ଯୋଗାଉଛି।

Share