Categories: ଜାତୀୟ

ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ପକେଇ ହତ୍ୟା କରିଥିବା ସ୍ବାମୀ ଗିରଫ

ମୁମ୍ବାଇ,୧୩।୧: ସ୍ତ୍ରୀ ପୁନମ ଚୋହ୍ବାନଙ୍କ ହତ୍ୟା ମାମଲାରେ ସ୍ବାମୀ ଅନଓ୍ବର ଅଲି ଶେଖଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ୩୭ ବର୍ଷୀୟା ପୁନମଙ୍କୁ ଟ୍ରେନରୁ ଠେଲି ହତ୍ୟା କରିଥିବା ଶେଖଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଟ୍ରେନରୁ ପଡ଼ିବା ଯୋଗୁ ପୁନମଙ୍କ ମୃତ୍ୟୁ ଘଟିଥିଲା। ଟ୍ରେନର ଅନ୍ୟ ଯାତ୍ରୀଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବା ପରେ ପୋଲିସ ଅନଓ୍ବରଙ୍କୁ ଗିରଫ କରିଛି।

ପୋଲିସ ଅନୁଯାୟୀ, ଏହି ଦମ୍ପତ୍ତି ମାସେ ତଳେ ବିବାହ କରିଥିଲେ। ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଦୁହେଁ ପୁନମଙ୍କ ପୂର୍ବ ବିବାହରୁ ୩ ବର୍ଷର ଝିଅଙ୍କ ସହ ମାନଖର୍ଡର ଏକ ବସ୍ତିରେ ରହୁଥିଲେ। ଏହି ଦମ୍ପତ୍ତି ସୋମବାର ଅପରାହ୍ନ ୩.୨୦ରେ ପନଭେଲରୁ ଯାଉଥିବା ଲୋକାଲ ଟ୍ରେନରେ ଛଢ଼ିଥିଲେ। ଚେମ୍ବୁରରୁ ଗୋଭଣ୍ଡି ଦେଇ ଯାଉଥିବାବେଳେ ପୁନମଙ୍କ ହାତ ଖସି ଯାଇଥିଲା। ହେଲେ ତାଙ୍କ ସ୍ବାମୀ ଶେଖ ତାଙ୍କୁ ଧରି ନେଇଥିଲେ। କିନ୍ତୁ ହଠାତ୍‌ ହାତ ଛାଡ଼ିଦେଇଥିଲେ। ଜଣେ ଦେଖଣାହାରୀଙ୍କ ସାକ୍ଷ୍ୟ ପ୍ରମାଣ ମିଳିବା ପରେ ପୋଲିସ ସ୍ବାମୀ ଶେଖଙ୍କୁ ଗିରଫ କରିଛି।

Share