Categories: ଜାତୀୟ

ମହାରାଷ୍ଟ୍ରରେ ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ମୁମ୍ବାଇ,୧୪ା୭: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ମହାରାଷ୍ଟ୍ର ସରକାର ସମସ୍ତ ଅନୁମୋଦନ ଦେଇଛନ୍ତି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ଏହି ସୂଚନା ଦେଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ଦେବେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରକଳ୍ପ ପାଇଁ ସମସ୍ତ ଅନୁମୋଦନ ଦେଇଛନ୍ତି।

ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପର ଆନୁମାନିକ ମୂଲ୍ୟ ହେଉଛି ୧,୧୦,୦୦୦କୋଟି, ଯେଉଁଥିରୁ ୮୮,୦୦୦ କୋଟି ଟଙ୍କା ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (JICA) ଦ୍ୱାରା ପ୍ରଦାନ କରାଯାଇଛି। ମହାରାଷ୍ଟ୍ରରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ୭୦ ପ୍ରତିଶତରୁ ଅଧିକ ଜମି ଥାନେ ଏବଂ ପାଲଘର ଜିଲାରେ ଅଧିଗ୍ରହଣ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଶିବସେନା ସଭାପତି ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ପୂର୍ବ ଏମ୍‌ଭିଏ ସରକାର ଏହି ପ୍ରକଳ୍ପକୁ ଦ୍ରୁତ ଗତିରେ ରଖିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ବଦଳରେ ଉଦ୍ଧବ ଠାକ୍‌ରେ ରେଳ ମନ୍ତ୍ରଣାଳୟକୁ ପୁଣେ ଏବଂ ନାଗପୁର ସହର ମଧ୍ୟରେ ଏକ ହାଇ ସ୍ପିଡ୍‌ ଟ୍ରେନ କରିଡର ନିର୍ମାଣ କରିବାକୁ କହିଥିଲେ।

Share