ଆଜିଠୁ ଫୁଟାଇ ପାରିବେନି ରକେଟ୍ ବାଣ, ଜାରି ହେଲା କଟକଣା

ମୁମ୍ବାଇ,୯।୧୧: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ବଢ଼ିବା ପରେ ମୁମ୍ବାଇରେ ବଡ଼ ପଦକ୍ଷେପ ନେଇଛି ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (BMC) । ସହରରେ ରକେଟ୍‌ ଏବଂ ଆକାଶକୁ ଉଡ଼ୁଥିବା ଏରିଆଲ୍‌ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ ।

BMC କମିଶନର ପ୍ରାଜକ୍ତା ଲବଙ୍ଗାରେ-ବର୍ମା ସହରୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ (ପ୍ରଭାରୀ) ଭାବେ ଏହି ନିଷେଧାଦେଶ ଜାରି କରିଛନ୍ତି। ନଭେମ୍ବର ୯ ତାରିଖରୁ ଏହା ତତ୍କାଳ ଲାଗୁ ହୋଇଛି। ଏହି କଟକଣା ମୁମ୍ବାଇ ମହାନଗର ନିଗମ ସୀମା ମଧ୍ୟରେ ଥିବା ଉଭୟ ସରକାରୀ ଓ ବ୍ୟକ୍ତିଗତ ସ୍ଥାନରେ ଲାଗୁ ହେବ। ଏଥିରେ ଆବାସିକ କୋଠାର ଛାତ, ବାଲକୋନି, ଅଗଣା, ପାର୍କିଂ ସ୍ଥାନ, ବସ୍ତି ଅଞ୍ଚଳ ସମେତ ଅନ୍ୟ ସମସ୍ତ ପରିସର ସାମିଲ ରହିଛି। ଅର୍ଥାତ୍‌ ନିଜ ଘରର ଛାତ କିମ୍ବା ବାଲକୋନିରେ ମଧ୍ୟ ରକେଟ୍‌ ଓ ଆକାଶକୁ ଉଡ଼ୁଥିବା ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ।

ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ହଠାତ୍‌ ବଢ଼ିବା ପରେ BMC ଏହି ନିଷ୍ପତ୍ତି ନେଇଛି । ନଭେମ୍ବର ୮ ତାରିଖରେ ମୁମ୍ବାଇ ଫାୟାର ବ୍ରିଗେଡ୍‌କୁ ଅଗ୍ନିକାଣ୍ଡ ସମ୍ପର୍କିତ ୧୪୨ଟି କଲ୍‌ ଆସିଥିଲା। ସେଥିମଧ୍ୟରୁ ୧୩୭ଟି ଘଟଣା ବାଣ ଫୁଟାଇବା ସହ ଜଡ଼ିତ ଥିବା କୁହାଯାଇଛି । ଡୋଙ୍ଗରୀ ଓ ବିଦ୍ୟାବିହାର ସମେତ ସହରର ଅନେକ ସ୍ଥାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଶାସନ ଅନୁସାରେ, ରକେଟ୍‌ ଓ ଆକାଶକୁ ଉଡ଼ୁଥିବା ବାଣର ଜଳନ୍ତା ଅଂଶ କୋଠାର ଛାତ, ବାଲକୋନି, ଝରକା କିମ୍ବା ଜ୍ୱଳନଶୀଳ ସାମଗ୍ରୀ ଉପରେ ପଡ଼ି ନିଆଁ ଲଗାଇପାରେ । ମୁମ୍ବାଇ ଭଳି ଘନ ଜନବସତିପୂର୍ଣ୍ଣ ସହର, ଉଚ୍ଚ ଅଟ୍ଟାଳିକା ଓ ସଂକୀର୍ଣ୍ଣ ବସ୍ତି ଅଞ୍ଚଳରେ ଏହି ବିପଦ ଅଧିକ ଗମ୍ଭୀର ହୋଇପାରେ।

BMC ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୪୧(A), ୨୬(୨), ୩୦ ଏବଂ ୩୪(M) ଅନୁସାରେ ଏହି ଆଦେଶ ଜାରି କରାଯାଇଛି । ନିଷେଧାଦେଶକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ପAଲିସର ଜୋନାଲ୍‌ ଡେପୁଟି କମିଶନର, BMCର ବିଭାଗୀୟ ଆସିଷ୍ଟାଣ୍ଟ କମିଶନର ଏବଂ ଫାୟାର ବ୍ରିଗେଡ୍‌କୁ ଦିଆଯାଇଛି।

ତେବେ ରକେଟ୍‌ ଓ ଆକାଶକୁ ଉଡ଼ୁଥିବା ଅନ୍ୟ ବାଣ ବ୍ୟତୀତ ଅନ୍ୟ ପ୍ରକାର ବାଣ ଉପରେ ଏହି ନୂଆ କଟକଣା ଲାଗୁ ହୋଇନାହିଁ। ସେଗୁଡ଼ିକର ବ୍ୟବହାର ପୂର୍ବରୁ ଲାଗୁ ଥିବା ଆଇନ, କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଆଦେଶ ଓ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ନିୟନ୍ତ୍ରିତ ହେବ।

 

Dharitri – Odisha’s No.1 Odia Daily

Share