ଜାବରା ସେତୁ ଉପରେ ଏକାଧିକ ଗାତ

ଜେନାପୁର,୨୦।୯(ଅଶୋକ ଦାସ): ଗ୍ରାମାଞ୍ଚଳରେ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟା ସନ୍ତୁଳନ ରକ୍ଷାକରିବା ପାଇଁ ବିଭିନ୍ନ ନଦୀ ନାଳ ଉପରେ ସେତୁ ନିର୍ମାଣ କରାଯାଇଛି। ଏଥିରେ ରାଜ୍ୟ ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ନିମ୍ନମାନର କାମ ଯୋଗୁ ତାହା ଲୋକମାନଙ୍କ ପାଇଁ ବିପଦସଙ୍କୁଳ ହୋଇପଡିଛି। ଏହାର ଉଦାହରଣ ଜାବରା ସେତୁକୁ ଦେଖିଲେ ସ୍ପଷ୍ଟ ହୋଇଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଜେନାପୁର ଜାବରାଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ସିମେଣ୍ଟ ଛାଡ଼ି ରଡ଼ ଦେଖାଯାଉଛି। ଏହି ସେତୁ ଉପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିର୍ଭର କରିଥାଆନ୍ତି। ହେଲେ ଠିକାସଂସ୍ଥାର ମନମାନି, ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଏହି ବ୍ୟସ୍ତବହୁଳ ସେତୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଜଏଣ୍ଟ ପ୍ଲେଟ ନିକଟରୁ ଢୋଇ ଉଠିଯାଇ ରଡ୍‌ ଦେଖାଯିବା ସହିତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ବର୍ଷାପାଣି ଜମି ରହୁଛି। ଏହି ପୋଲ ଉପରେ ପ୍ରତିଦିନ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଛି। ଏଥିଯୋଗୁ ପୋଲର ଭିତ୍ତିଭୂମି ଦୁର୍ବଳ ହେବା ସହ କେତେକ ସ୍ଥାନ ଦବିଯାଇଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ , ପୋଲର ଦୁଇପାର୍ଶ୍ୱରେ ଦିଆଯାଇଥିବା ସୁରକ୍ଷା ଲୁହାବାଡ଼କୁ କେତେଜଣ ଦୁବୃର୍ତ୍ତ କାଟି ନେଇଥିବା ଦେଖିବାକୁ ମିଳିଛି । ଫଳରେ ଅଧିକାଂଶ ସମୟରେ ଗାଡ଼ି ଚାଳକମାନେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।