ପରଦାରେ ମୁଲାୟମଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ରାଜନୀତିର ବରିଷ୍ଠ ନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ଗୋଟିଏ ପଟେ ରାଜନେତାଙ୍କଠାରୁ ଆରମ୍ଭକରି ସିନେ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି, ଅନ୍ୟପଟେ ସାଧାରଣ ଲୋକମାନେ ତାଙ୍କ ଜୀବନ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ୨୦୨୧ରେ ମୁଲାୟମ ସିଂ ଯାଦବଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା, ଯାହାର ନାମ ‘ମେଁ ମୁଲାୟମ ସିଂ ଯାଦବ’। ଏହି ଫିଲ୍ମରେ ମୁଲାୟମଙ୍କ ପରିବାର ବିଷୟରେ ଖୋଲାଖୋଲି ଭାବେ କୁହାଯାଇଛି ଏବଂ ରାଜନୀତିର ଜଣେ ଭେଟେରାନ ଖେଳାଳି ହେବା ତାଙ୍କ ଯାତ୍ରା ମଧ୍ୟ ଦର୍ଶାଯାଇଛି।
ଫିଲ୍ମ ‘ମେଁ ମୁଲାୟମ ସିଂ ଯାଦବ’ର ନିର୍ଦ୍ଦେଶନା ଦେଇଛନ୍ତି ଶୁଭେନ୍ଦୁ ଘୋଷ। ଏହି ଫିଲ୍ମରେ ମୁଲାୟମ ସିଂ ଯାଦବଙ୍କ ଭୂମିକାରେ ଅମିତ ସେଠୀ ଅଭିନୟ କରିଥିବାବେଳେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋ ମୁଲାୟମ ସିଂଙ୍କ ଭାଇ ଶିବପାଲ ସିଂ ଭୂମିକାରେ ଅଛନ୍ତି। ଏହି ଫିଲ୍ମରେ ପ୍ରେରଣା ସିଂ ମୁଲାୟମଙ୍କ ସ୍ତ୍ରୀ ଭୂମିକାରେ ଥିବାବେଳେ ପ୍ରକାଶ ବାଲବେଟନ ରାମ ମନୋହର ଲୋହିଆ ଭୂମିକାରେ ଅଛନ୍ତି। ଅନ୍ୟପକ୍ଷରେ ଗୋବିନ୍ଦ ନାମଦେବ ଚୌଧୁରୀ ଚରଣ ସିଂ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଜରିନା ୱାହାବ ଏବଂ ଅନୁପମ ଶ୍ୟାମଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେମାନେ ମୁଲାୟମ ସିଂଙ୍କ ମା’ ଏବଂ ପିତା ଭୂମିକାରେ ଅଛନ୍ତି।
ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏହା ଦର୍ଶାଯାଇଛି ଯେ, ମୁଲାୟମ ସିଂ ଏକ ଅତି ସରଳ ପରିବାରର ଥିଲେ। ତାଙ୍କ ପିତାଙ୍କ ଇଚ୍ଛା ଥିଲା ଯେ ମୁଲାୟମ ସିଂ କୁସ୍ତି ଖେଳନ୍ତୁ କିନ୍ତୁ ସେ ରାଜନୀତିରେ ପ୍ରବେଶ କରିଥିଲେ। କୁସ୍ତି ପ୍ରତିଯୋଗିତା ସମୟରେ ସେ ସ୍ଥାନୀୟ ନେତା ନାଥୁରାମଙ୍କୁ ଭେଟିଥିଲେ। ଏହାପରେ ରାଜନୀତିରେ ପ୍ରବେଶ କରିବାକୁ ତାଙ୍କ ବାଟ ଫିଟିଥିଲା।
ନାଥୁରାମ, ରାମ ମନୋହର ଲୋହିଆ ଏବଂ ଚୌଧୁରୀ ଚରଣ ସିଂଙ୍କ ସମର୍ଥନ ପାଇବା ପରେ ମୁଲାୟମ ସିଂଙ୍କ ରାଜନୈତିକ ଜ୍ଞାନ ବଢ଼ିଥିଲା। ମୁଖ୍ୟମନ୍ତ୍ରୀ ଚେୟାରରେ ପହଞ୍ଚିବା ପାଇଁ ମୁଲାୟମ ସିଂଙ୍କ ଯାତ୍ରା ମଧ୍ୟ ଏହି ସମୟରେ ତାଙ୍କ ସ୍ତ୍ରୀ ମାଳତୀଙ୍କ ଭୂମିକା ଅଧିକ ଥିଲା। ତେବେ ଏହି ଫିଲ୍ମରେ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ସିଂଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ।

Share