Categories: ଜାତୀୟ

ସମାଜବାଦୀ ପାର୍ଟିରେ ସାମିଲ ହେଲେ ମୁଖତାର ଅଂସାରୀଙ୍କ ବଡ ଭାଇ

ଲକ୍ଷ୍ନୌ,୨୮ ।୮: ଉତ୍ତର ପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ବଦଳ ଅଭିଯାନ ଜାରି ରହିଛି । ଇତିମଧ୍ୟରେ ମୁଖତାର ଅଂସାରୀଙ୍କ ବଡ ଭାଇ ସିବଗତୁଲ୍ଲା ଅଂସାରୀ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହାସହ ପୂର୍ବତନ ମନ୍ତ୍ରୀ ଅମ୍ବିକା ଚୌଧୁରୀଙ୍କର ମଧ୍ୟ ଘର ବାହୁଡା ହୋଇଛି । ଶନିବାର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅକିଳେଶ ଯାଦବ ମୁଖତାର ଅଂସାରୀଙ୍କ ବଡ ଭାଇ ସିବଗତୁଲ୍ଲା ଅଂସାରୀଙ୍କୁ ତାଙ୍କ ସମର୍ଥକଙ୍କ ସହ ସମାଜବାଦୀ ପାର୍ଟିର ସଦସ୍ୟତା ଦେଇଛନ୍ତି । ସିବଗତୁଲ୍ଲା ଅଂସାରୀ ୨୦୦୭ରେ ସମାଜବାଦୀ ପାର୍ଟିରେ ଓ ୨୦୧୨ରେ କୌମି ଏକତା ଦଳରୁ ଗାଜିପୁରର ମୋହମ୍ମଦାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ । ଏହାପରେ ୨୦୧୭ରେ ବହୁଜନ ସମାଜ ପାର୍ଟିରେ ସାମିଲ ହୋଇ ହାରିଗଲେ । ମୁଖତାର ଅଂସାରୀ କିଛିଦିନ ହେବ ଜେଲରେ ଥିବାରୁ ଉତ୍ତର ପ୍ରଦେଶରେ ଅଂସାରୀ ପରିବାରର ରାଜନୌତିକ ଡୋରିକୁ ସମ୍ଭାଳିବା ଦାୟିତ୍ୱ ଏବେ ତାଙ୍କ ବଡ ଭାଇ ସିବଗତୁଲ୍ଲା ଅଂସାରୀଙ୍କ ଉପରେ ରହିଛି । ତେଣୁ ଏବେ ସେ ହାତୀ ଉପରୁ ଓହ୍ଲାଇ ସାଇକେଲ ଚଢିବାକୁ ମନ ବଳାଇଥିବା ଆଲୋଚନା ହେଉଛି ।

Share