Categories: ଜାତୀୟ

ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୧୬।୭: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ଶନିବାର ହେବାକୁ ଥିବା ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ଭାଜପା ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହେବେ। ଆଶା କରାଯାଉଛି, ଶନିବାର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲାଗିପାରେ। ଏନ୍‌ଡିଏ ପକ୍ଷରୁ କିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସେନେଇ ଅନେକ ନାମ ଚର୍ଚ୍ଚା ହେଉଛି। ଦେଶରେ ରାଷ୍ଟ୍ରପତିଙ୍କ ପାଇଁ ଜଣେ ଆଦିବାସୀ ମହିଳାଙ୍କ କାର୍ଡ ଖେଳିବା ପରେ ଉପରାଷ୍ଟ୍ରପତି ପଦ ପାଇଁ ଏକ ସଂଖ୍ୟାଲଘୁଙ୍କ ମୁହଁକୁ ଭାଜପା ମଇଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭି ରହିଛନ୍ତି। ଏତଦ୍‌ ବ୍ୟତୀତ ମୁସଲମାନ ସମ୍ପ୍ରଦାୟରୁ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିଖ୍‌ ସମ୍ପ୍ରଦାୟରୁ କ୍ୟାପଟେନ ଅମରିନ୍ଦର ସିଂ, ନଜମା ହେପତୁଲ୍ଲା ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ନାମ ମଧ୍ୟ ଦୌଡରେ ରହିଛି।

Share