ମୁକେଶ ଜୈନ ଗିରଫ

ବାଲେଶ୍ୱର ଅଫିସ,୧୧।୭: ପୁରୀ ରଥଯାତ୍ରା ପ୍ରସଙ୍ଗରେ ରାୟ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନଙ୍କୁ ଗିରଫ କରାଯାଇଛି। କଟକ କ୍ରାଇମବ୍ରାଞ୍ଚ ମୁକେଶଙ୍କୁ ଦିଲ୍ଲୀରୁ ଗିରଫ କରି ଶୁକ୍ରବାର ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡେଲ ଥାନାରେ ହାଜର କରାଇଥିଲା। ସେଠାରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରାଯାଇ ଅପରାହ୍ନ ଗୋଟାଏ ବେଳେ ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ମୁକେଶଙ୍କୁ ବାଲେଶ୍ୱର ଜେଲ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏହି ପ୍ରସଙ୍ଗ ନେଇ ବାଲେଶ୍ୱରର ଜଣେ ବରିଷ୍ଠ ଆଇନ୍‌ଜୀବୀ ସହଦେବଖୁଣ୍ଟା ମଡ଼େଲ ଥାନା ଓ ଭଦ୍ରକ ଥାନାରେ ଥିବା ସାଇବର ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ଘଟଣାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।