Categories: ଜାତୀୟ

ଲକ୍‌ ଡାଉନରେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଥିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ, ୨୯।୯: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପ୍ରତି ଘଣ୍ଟାର ରୋଜଗାର ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତ ୬ ମାସ ଧରି ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ମୁକେଶଙ୍କ ରୋଜଗାର ବିଷୟରେ ଏହି ସୂଚନା ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୦ର ୯ମ ସଂସ୍କରଣରେ ପ୍ରକାଶ ପାଇଛି। ୩୧ ଅଗଷ୍ଟ ୨୦୨୦ ସୁଦ୍ଧା ଏକ ହଜାର କୋଟି କିମ୍ବା ଏହାଠାରୁ ଅଧିକ ସମ୍ପତ୍ତି ରଖିଥିବା ଦେଶର ସବୁଠାରୁ ଧନୀ ବ୍ୟକ୍ତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ମୁକେଶଙ୍କ ରୋଜଗାର ଏଭଳି ଏକ ସମୟରେ ବୃଦ୍ଧି ପାଇଛି ଯେଉଁ ସମୟରେ କରୋନା ଓ ଲକ୍‌ ଡାଉନ୍‌ ଲାଗି ଦେଶର ଜିଡିପି ହ୍ରାସ ପାଇଛି।
ଇଣ୍ଡିଆ ରିଚ୍‌ ଲିଷ୍ଟର କ୍ରମାଗତ ୯ମ ବର୍ଷ ପାଇଁ ମୁକେଶ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ୍‌ ସମ୍ପତ୍ତି ହେଉଛି ୬ ଲକ୍ଷ ୫୮ ହଜାର ୪୦୦ କୋଟି ଟଙ୍କା। ଗତ ଏକ ବର୍ଷ ମଧ୍ୟରେ ତାଙ୍କର ମୋଟ୍‌ ସମ୍ପତ୍ତି ୭୩ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତି ମୁକେଶ ଲକ୍‌ ଡାଉନ ଅବଧି ଅର୍ଥାତ୍‌ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଲଣ୍ଡନରେ ଅବସ୍ଥିତ ହିନ୍ଦୁଜା ବ୍ରଦର୍ସ (୧,୪୩, ୭୦୦ କୋଟି) ଭାରତର ୨ୟ ଧନୀ ଭାବେ ରହିଛନ୍ତି। ତାଙ୍କ ପଛକୁ ଏଚ୍‌ସିଏଲ୍‌ ପ୍ରତିଷ୍ଠାତା ଶିବ ନାଡାର ରହିଛନ୍ତି।

Share