ମୁହୟିଦ୍ଦିନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୨୨ା୧୧: ମାଲେସିଆରେ ଶନିବାର ଅନୁଷ୍ଠିତ ପଞ୍ଚଦଶ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ଜନାଦେଶ ମିଳି ନ ଥିବାରୁ ଝୁଲା ସରକାର ଗଠନ ହେବାକୁ ଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମୁହୟିଦ୍ଦିନ ୟାସିନଙ୍କୁ ରବିବାର ଦୁଇଟି ରାଜନୈତିକ ବ୍ଲକ୍‌ର ସମର୍ଥନ ମିଳିବା ପରେ ସେ ନୂଆ ସରକାର ଗଠନ ନେଇ ଦାବି କରିଛନ୍ତି। ପରବର୍ତ୍ତୀ ସରକାର ଦକ୍ଷିଣପନ୍ଥୀ ଧର୍ମୀୟ ମେଣ୍ଟ ମଳୟ ନ୍ୟାଶନାଲିଷ୍ଟ ଗଠନ କରିବାକୁ ଥିବାବେଳେ ମେଣ୍ଟକୁ ନେଇ ଡିଲ୍‌ ଉପରେ ରାଜାଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି।
ଆସନ ବିଶିଷ୍ଟ ମାଲେସିଆ ପାର୍ଲାମେଣ୍ଟରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨। ପେରିକାତନ ନ୍ୟାଶନାଲିଷ୍ଟ ମେଣ୍ଟର ମୁଖ୍ୟ ମୁହୟିଦ୍ଦିନ କହିଛନ୍ତି, ବୋର୍ଣ୍ଣିଓ ଦ୍ୱୀପର ଦୁଇଟି ଆଞ୍ଚଳିକ ଦଳ ତାଙ୍କୁ ସମର୍ଥନ କରିଛନ୍ତି। ଫଳରେ ତାଙ୍କ ମେଣ୍ଟର ଆସନ ସଂଖ୍ୟା ୭୩ରୁ ୧୦୧କୁ ବୃଦ୍ଧି ପାଇବ। ବିରୋଧୀ ଦଳ ନେତା ଅନଓ୍ବର ଇବ୍ରାହିମ୍‌ଙ୍କ ପକାତନ ହରପାନ୍‌ ମେଣ୍ଟକୁ ୮୨ ଆସନରେ ସଫଳତା ମିଳିଛି। ସେ ମଧ୍ୟ ସରକାର ଗଠନ ଲାଗି ଅନ୍ୟ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇସ୍‌ମାଇଲ୍‌ ସବ୍ରି ୟାକୋବ୍‌ଙ୍କ ବରିସାନ ନ୍ୟାଶନାଲ ଆଲାଏନ୍ସ ୧୭୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ମାତ୍ର ୩୦ ଆସନରେ ବିଜୟୀ ହୋଇଛି। ଏହି ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରରେ ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାରୁ ଅନେକ ବର୍ଷ ମଧ୍ୟରେ ୩ ପ୍ରଧାନମନ୍ତ୍ରୀ କ୍ଷମତାକୁ ଯାଇଛନ୍ତି। ସର୍ବାଧିକ ସମୟ ଧରି ଦେଶକୁ ଶାସନ କରିଥିବା ୯୭ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ୫୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପରାଜିତ ହୋଇଛନ୍ତି।

Share