କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା
ମିଳିଥିବା ସୂଚନା ଅନୁଯାୟୀ, ଆଗଲପୁରରୁ ମୁଖ୍ୟମନ୍ତ୍ରୀ ବସ୍‌ ବାହାରି ଭରସୁଜା, ବଡଟୀକା, ନଅଗାଁ(ଖ) ଦେଇ ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବୁର୍ଡାରେ ପହଞ୍ଚତ୍ଥାଏ। ବୁର୍ଡାରୁ ରଗୁଡିଖାଲ ଦେଇ ବଟକି -ବିଶାଳପାଲି କେନାଲ ରାସ୍ତା ଦେଇ ପଟୁଆପାଲି ପର୍ଯ୍ୟନ୍ତ ଉକ୍ତ ବସ୍‌ ନିୟମିତ ଭାବେ ଦିନକୁ ୨ ଥର ଯାତାୟତ କରିଥାଏ। ତେବେ ଗତ ଦୁଇଦିନ ହେଲା ବର୍ଷା ହୋଇଥିବା ବେଳେ ବିଶାଳପାଲିରୁ ବଡଖଲିଆପାଲି ୨ କିମି ରାସ୍ତା କର୍ଦ୍ଦମାକ୍ତ ହୋଇପଡିଛି। ଚଳିତବର୍ଷ କେନାଲ କାମ କରାଯାଇଥିବାରୁ କେନାଲର ମାଟି ଉକ୍ତ ରାସ୍ତା ଉପରେ ପଡି ରହିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏବେ ବର୍ଷାରେ ଉକ୍ତ ରାସ୍ତା କାଦୁଅ ପଚ୍‌ପଚ୍‌ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ବସ୍‌ ବିଶାଳପାଲି ଛକ ପର୍ଯ୍ୟନ୍ତ ଯାଉଛି। କାଦୁଆ ରାସ୍ତାରେ ବସ୍‌ ନେବାକୁ ଡ୍ରାଇଭର ଭୟ କରୁଛନ୍ତି। କାଳେ ଚକ ଖସିଯାଇ ଦୁର୍ଘଟଣା ହେବ ଏହି ଆଶଙ୍କାରେ ପଟୁଆପାଲି ପର୍ଯ୍ୟନ୍ତ ନ ଯାଇ ବିଶାଲପାଲି ଛକରୁ ବସ ଫେରି ଆସୁଥିବା ଜଣାପଡିଛି। ଆରଡି ବିଭାଗ ଏବଂ ଜଳସମ୍ପଦ ବିଭାଗର ଦୂରଦୃଷ୍ଟି ଅଭାବରୁ ଲୋକେ ବସ୍‌ ସେବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share