କାଦୁଅରେ ଭର୍ତ୍ତି ବୋରିଖାଲ ଗାଁ ରାସ୍ତା

ମୁନିଗୁଡ଼ା,୩।୮(ରାଧେଶ୍ୟାମ ଅଗ୍ରଓ୍ବାଲ): ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତର ବୋରିଖାଲ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ରାସ୍ତାଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ବୋରିଖାଲ ଗାଁକୁ ଯାଇଥିବା ମାଟି ରାସ୍ତା କାଦୁଅରେ ପଚପଚ। ବର୍ଷା ଦିନେ ଗାଁକୁ ଚାରିଚକିଆ ଗାଡି ଯିବା ଦୂରର କଥା ସାଇକେଲ ବି ଯାଇପାରୁନି। ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନ ଥିବାରୁ ଗର୍ଭବତୀ, ରୋଗୀଙ୍କ ପାଇଁ ଖଟିଆ ବା ଭାର ଏକମାତ୍ର ଭରସା।

ବୋରିଖାଲ ଗ୍ରାମରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରିଥାନ୍ତି। ଏହି କାଦୁଅ ରାସ୍ତା ଦେଇ ଗର୍ଭବତୀ ମହିଳାକୁ ଭାର କରି ପ୍ରସୂତି କେନ୍ଦ୍ରକୁ ନେବାକୁ ପଡ଼ିଥାଏ। କାଦୁଅ ରାସ୍ତାରେ ପ୍ରତିଦିନ ଛାତ୍ରୀଛତ୍ରୀ ସ୍କୁଲକୁ ଯାଇଥାନ୍ତି। ବୃଦ୍ଧାବୃଦ୍ଧ ଭତ୍ତା ପାଇଁ ଏହି ସରକାରୀ ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ତେବେ ଗାଁର ଶୋଚନୀୟ ରାସ୍ତା ବିଷୟରେ ପ୍ରତିବର୍ଷ ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ସବୁ ଗାଁକୁ ପକ୍କା ରାସ୍ତା, ବିଜୁଳି ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁରକ୍ଷା, ଘରକୁ ପିଇବା ପାଣ ଯୋଗାଇ ଦିଆଯାଉଥିବାବେଳେ ବୋରିଖାଲ ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଯେମିତି ସ୍ବପ୍ନ ହୋଇଛି। ଗାଁକୁ କଂକ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ସରପଞ୍ଚ ଉପେନ୍ଦ୍ର ସିକକା,ସମିତି ସଭ୍ୟ ଅନଙ୍ଗ ନାଗ, ଶଙ୍କର ବେହେରା, ଅଞ୍ଚଳ ମୁଦ୍ରିକା, ପୂର୍ଣ୍ଣଚନ୍ଦ୍ର ସାରକା, ପ୍ରକାଶ ଜାଗରଙ୍ଗା, ନୀଳାମ୍ବର ବାଞ୍ଜେଲିକା ପ୍ରମୁଖ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି।