ସରୁନି ସଡ଼କ ସଂଘର୍ଷ

ବଇଣ୍ଡା, ୧୩ା୯ (ଡି.ଏନ.ଏ.):ଗଁାକୁ ଗମନାଗମନରେ ହେଉଛି ଅସୁବିଧା। ବିଶେଷକରି ବର୍ଷାଋତୁରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। କାଦୁଅ, ପାଣିରେ ପଶି ଲୋକଙ୍କୁ ଚଳପ୍ରଚଳ ହେବାକୁ ପଡ଼ୁଛି। ତେଣୁ ମାଟି ରାସ୍ତାକୁ ପକ୍କା କରିବାକୁ ଦାବି କରି ଆସୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସିନ୍ଦୂରଖୋଳ ଗ୍ରାମବାସୀ। ହେଲେ ଦୀର୍ଘ ୫ ବର୍ଷ ହେଲା ନା ପ୍ରଶାସନ ନା ଜନ ପ୍ରତିନିଧି, କେହି ବି ଦୃଷ୍ଟି ଦେଉନାହାନ୍ତି ଗ୍ରାମବାସୀଙ୍କ ସମସ୍ୟା ପ୍ରତି। ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଦୀର୍ଘ ୫ ବର୍ଷ ହେଲା ଗ୍ରାମକୁ ଅବହେଳା କରାଯାଉଛି। ଫଳରେ ସଡ଼କ ପାଇଁ ସଂଘର୍ଷ ଶେଷ ହେଉ ନ ଥିବା ସିନ୍ଦୂରଖେଳବାସୀ ପ୍ରକାଶ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ସିନ୍ଦୂରଖୋଳ ଗ୍ରାମର ଲୋକସଂଖ୍ୟା ୭ଶହ ହେବ। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବାରୁ ଏହି ଗ୍ରାମରେ ଅନେକ ସମସ୍ୟା ଲାଗିରହିଛି। ବିଶେଷକରି ସାନହୁଲାରୁ ପାଇକସାହି ପୂର୍ତ୍ତ ବିଭାଗ ରାସ୍ତାରୁ ଗ୍ରାମକୁ ଯାଇଥିବା ୨.୫ କି.ମି. ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା ଏହା ମରାମତି ହୋଇନାହିଁ। ସାମାନ୍ୟ ବର୍ଷା ହେଲେ ପାଣି କାଦୁଅ ଯୋଗୁ ଯାତାୟାତ କଷ୍ଟକର ହୋଇପଡ଼ୁଛି। ଗତ ମାସରେ ଲଗାଣ ବର୍ଷା ବେଳେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏପରି କି ମୁଖ୍ୟ ପାଶର୍‌ବରୁ ୨୦୦ ମିଟର ଦୂରରେ ରାସ୍ତା ଧୋଇଯାଇଛି। ଫଳରେ ୪ ଚକିଆ ଯାନ ଯାଇପାରୁନାହଁି। ସେହିପରି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାବେଳେ ପାଣି ପାଇଁ ୫ଟି ନଳକୂଅ ରହିଛି। ସେଥିରୁ ୩ଟି ନଳକୂଅରୁ ଲୌହ ଗୁଣ୍ଡ ମିଶା ପାଣି ବାହାରୁଥିବା ଯୋଗୁ ତାହା ବ୍ୟବହାରରେ ଲାଗିପାରୁନାହିଁ। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଖୋଲା କୂଅରୁ ପାଣି ବ୍ୟବହାର କରୁଛନ୍ତି। ଗ୍ରାମରେ ହାଇସ୍କୁଲ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ୭ କି.ମି. ସାନହୁଲା ହାଇସ୍କୁଲ ଉପରେ ନିର୍ଭର କରୁଛନ୍ତି। ଗ୍ରାମର ସମସ୍ୟା ସମାଧାନ କରିବା ସହ ରାସ୍ତାକୁ ପିଚୁ କିମ୍ବା ପକ୍କା କରିବା ପାଇଁ ଗ୍ରାମବାସୀ ୨୦୧୭ ଫେବୃୟାରୀ ୧୦, ୨୦୧୯ ଜୁନ ୧୨, ୨୦୨୦ ଅଗଷ୍ଟ ୩ରେ ବ୍ଲକ, ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ରାସ୍ତା ଧୋଇଯିବା ସମ୍ପର୍କରେ ଗ୍ରାମବାସୀ ଗତମାସ ୧୮ ତାରିଖରେ ଆଠମଲ୍ଲିକ ବିଡିଓଙ୍କୁ ଅଭିଯୋଗ କରିଥିଲେ। ହେଲେ ମରାମତି ହୋଇପାରି ନାହିଁ। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ସିନ୍ଦୂରଖୋଳ ଗ୍ରାମବାସୀ ଦାବି କରିଛନ୍ତି।