Categories: ଖେଳ

ଲୋକେ କହୁଥିଲେ ଅଭିଜ୍ଞତା ନାହିଁ, ଚକୋଲେଟ ଭଳି ଟିମ୍‌ ଇଣ୍ଡିଆ କ୍ୟାପ୍‌ ବଣ୍ଟାଯାଉଛି; ପୂର୍ବ ମୁଖ୍ୟ ଚୟନକର୍ତ୍ତା କାହିଁକି କହିଲେ…

ନୂଆଦିଲ୍ଲୀ,୧୫।୬: ଭାରତୀୟ କ୍ରିକେଟ ବର୍ତ୍ତମାନ ଶୀର୍ଷରେ ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକାସାଙ୍ଗରେ ଦୁଇଟି ଟିମ୍‌ ସହ ପଡ଼ିଆକୁ ଓହ୍ଲାଇବାକୁ ଅଣ୍ଟା ଭିଡିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବା ବେଳେ ଶିଖର ଧାଓ୍ବନଙ୍କ ଅଧିନାୟକତ୍ୱରେ ଅନ୍ୟ ଦଳ ଶ୍ରୀଲଙ୍କା ଗସ୍ତରେ ଏକ ସୀମିତ ଓଭର ସିରିଜ ଖେଳିବ। ଏସବୁ ମଧ୍ୟରେ ପୂର୍ବତନ ଭାରତୀୟ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ଏକ ସାକ୍ଷାତକାରରେ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମାଲୋଚନାର ଶିକାର ହୋଇଥିଲେ ହେଁ ସେହି ସମୟରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବା ବର୍ତ୍ତମାନ ଟିମ୍‌ ଇଣ୍ଡିଆ ପାଇଁ ସହାୟକ ହେଉଛି। ଏହାଛଡ଼ା ଭାରତର ଦୁଇଟି ଟିମ୍‌କୁ ନେଇ ସେ ପ୍ରତିକ୍ରିୟା ରଖି ସେ କହିଥିଲେ, ଏହା ଅତ୍ୟନ୍ତ ଖୁସିର ବିଷୟ। ଯେତେବେଳେ ମୁଁ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଥିଲି, ସେତେବେଳେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ସମସ୍ତେ ଚୟନକର୍ତ୍ତାଙ୍କ କୌଣସି ଅଭିଜ୍ଞତା ନାହିଁ, ଚକୋଲେଟ ଭଳି ଭାରତୀୟ ଦଳର କ୍ୟାପ୍‌(ଡେବ୍ୟୁ କ୍ୟାପ୍‌) ବଣ୍ଟନ କରାଯାଉଛି ବୋଲି କହୁଥିଲେ। ଏବେ ସେହି ସମାନ ଲୋକ ଓଲଟା କଥା କହୁଛନ୍ତି। ଆମେ ପ୍ରତ୍ୟେକ ଖେଳାଳିଙ୍କ ପଛରେ ତିନି-ତିନି, ଚାରି-ଚାରି ଖେଳାଳିଙ୍କୁ ରଖୁଥିଲୁ। ତାହା ଆମର କର୍ତ୍ତବ୍ୟ ଥିଲା। ଆମେ ତାହା ପୂରଣ କରିଛୁ ବୋଲି ସେ କହିଛନ୍ତି।

Share