ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହି ଅବସରରେ ବହୁ ବଡ ବଡ ବ୍ୟକ୍ତି ବିଶେଷ ତାଙ୍କ କ୍ୟାରିୟରକୁ ନେଇ ଧୋନୀଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପତ୍ର ଲେଖି ଧୋନୀଙ୍କ ପ୍ରଶଂସା କରିଛନ୍ତି। ଏହାପରେ ଧୋନୀ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଜଣେ କଳାକାର, ସେନା ଓ ଖେଳାଳି ସବୁବେଳେ ପ୍ରଶଂସା ଚାହିଁଥାଏ। ସେ ଚାହିଁଥାଆନ୍ତି ତାଙ୍କ ପରିଶ୍ରମ ଓ ବଳିଦାନକୁ ସମସ୍ତେ ଚିହ୍ନନ୍ତୁ। ପ୍ରଶଂସା ଓ ଶୁଭକାମନା ପାଇଁ ଆପଣଙ୍କୁ ଧନ୍ୟବାଦ। ମୋଦି ତାଙ୍କ ପତ୍ରରେ ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ଆପଣଙ୍କ ନିକଟରେ ନୂଆ ଭାରତର ଆତ୍ମା ଦେଖାଯାଉଛି। ୧୫ ଅଗଷ୍ଟ ଆପଣଙ୍କ ହିସାବରେ ଆପଣ ଏକ ଛୋଟ ଭିଡିଓ ଶେୟାର କରିଥିଲେ। ଯାହା ସାରା ଭାରତ ପାଇଁ ଏକ ଲମ୍ବା ଆଲୋଚନା ପାଲଟି ଯାଇଥିଲା। ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି ସତ ହେଲେ ଗତ ଦେଢ ଦଶକ ମଧ୍ୟରେ ଆପଣ ଯାହା ଛାଡି ଯାଇଛନ୍ତି ଭାରତ ଏଥିପାଇଁ ଆପଣଙ୍କ ନିକଟରେ ଋଣି। ଆପଣ ଭାରତୀୟ କ୍ରିକେଟର ସବୁଠାରୁ ସଫଳ କ୍ୟାପଟେନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଭାରତକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ଆପଣଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। କ୍ରିକେଟ ଇତିହାସରେ ଧୋନୀଙ୍କ ନାଁ ସର୍ବଶ୍ରେଷ୍ଠ ବ୍ୟାଟସ୍‌ ମ୍ୟାନ, କ୍ୟାପଟେନ ଓ ନିଃସନ୍ଦେହରେ ସର୍ବଶ୍ରେଷ୍ଠ ଓ୍ବିକେଟ କିପର ତାଲିକାରେ ଆସିବ ବୋଲି ମୋଦି ଲେଖିଛନ୍ତି। ଦଳର ସଙ୍କଟ ସମୟରେ ଧୋନୀଙ୍କ ଖେଳିବାର ଷ୍ଟାଇଲକୁ ମୋଦି ପ୍ରଶଂସା କରିଛନ୍ତି। ବିଶେଷ ଭାବେ ୨୦୧୧ ଓ୍ବାଲର୍ଡ କପ୍‌ ଫାଇନାଲ ବର୍ଷ ବର୍ଷ ଧରି କ୍ରିକେଟ ପ୍ରେମୀଙ୍କ ହୃଦୟରେ ବସାବାନ୍ଧି ରହିବ ବୋଲି ମୋଦି କହିଛନ୍ତି।

Share