Categories: ଖେଳ

ହାଟ୍ରିକ୍‌ ବିଜୟ ପରେ ହସିଲେ ଧୋନୀ, କହିଲେ ‘୨୦ ଓଭର ପୁରା ଖେଳିଥିଲେ…’

ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ବିଜେତା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୩ ଉଇକେଟ ହରାଇ ୨୨୦ ରନ୍‌ କରିଥିଲା। ଏହାର ଜବାବରେ କୋଲକାତା ଟିମ୍‌ ୧୯.୧ ଓଭରରେ ୨୦୨ରନ୍‌ରେ ଅଲଗାଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ ଜିତିବା ପରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଜାଦାର ପ୍ରତିକ୍ରିୟା ଦେଇଥିଲେ।

କୋଲକାତାକୁ ହରାଇବା ପରେ ସାମାନ୍ୟ ହସି ଧୋନୀ କହିଥିଲେ, ଏହି ମ୍ୟାଚ୍‌ ସେତେଟା କଷ୍ଟକର ନ ଥିଲା। ଅଧିନାୟକ ଭାବେ ଏହା ବହୁତ ସହଜ ଥିଲେ। ଏଭଳି ମ୍ୟାଚ୍‌ରେ ୧୫ ଏବଂ ୧୬ ଓଭରରୁ ଦ୍ରୁତ ବୋଲର୍‌ ଏବଂ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଟକ୍କର ହୋଇଯାଏ। ଯିଏ ଭଲ ରଣନୀତି ପ୍ରସ୍ତୁତ କରେ ସେ ଟିମ୍‌ ଜିତିଥାଏ। ଏଣୁ ଆଜିର ମ୍ୟାଚ୍‌ ୨୦ ଓଭର ପର୍ଯ୍ୟନ୍ତ ଖେଳାଯାଇଥିଲେ ଆହୁରି ରୋମାଞ୍ଚକର ହୋଇଥାନ୍ତା। ଏଣୁ ବିନମ୍ର ରହିବା ଏବଂ ବିରୋଧି ଟିମ୍‌କୁ ସମ୍ମାନ ଜଣାଇବା ଜରୁରୀ। ସବୁ ଆଇପିଏଲ୍‌ ଟିମ୍‌ ବ୍ୟାଟିଂରେ ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ। ଆମେ ଭଲ ସ୍କୋର କରିଥିଲେ ହେଁ ଆମକୁ ବିନମ୍ର ରହିବାକୁ ହେବ ବୋଲି ସାଥୀ ଖେଳାଳିଙ୍କୁ କହିଥିବା ଧୋନୀ କହିଛନ୍ତି।

ଏହାଛଡ଼ା ଧୋନୀ ମ୍ୟାଚ୍‌ ବିଜୟକୁ ନେଇ ଦଳର ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରିଛନ୍ତି। ଋତୁରାଜ ଗାଏକ୍ୱାଡ ଗତ ଆଇପିଏଲ୍‌ ସିଜିନରୁ ନିଜର ଭଲ ପ୍ରଦର୍ଶନ ଦେଖାଇ ଆସୁଛନ୍ତି। ହେଲେ ଚଳିତ ସିଜିନରେ ଭଲ ଖେଳୁ ନ ଥିଲେ। ତାଙ୍କ ଭିତରେ କିନ୍ତୁ ଆତ୍ମବିଶ୍ୱାସ ଥିଲା। ଏହି ମ୍ୟାଚ୍‌ରେ ସେ ଭଲ ଖେଳିଛନ୍ତି।

 

Share