ମନୋରଞ୍ଜନ ଜଗତରେ ପାଦ ଦେବାକୁ ଯାଉଛନ୍ତି ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ମନୋରଞ୍ଜନ ଜଗତରେ ପାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଏବେ ସେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତେବେ ମାହି ଅଭିନେତା ଭାବେ ନୁହେଁ ବରଂ ନିର୍ମାତା ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବେ। ଏ ବିଷୟରେ ତାଙ୍କ ସ୍ତ୍ରୀ ସାକ୍ଷୀ ଧୋନି ସୂଚନା ଦେଇଛନ୍ତି।
ଧୋନି ବର୍ତ୍ତମାନ ପୌରାଣିକ ସାଇ-ଫାଇ ଓ୍ବେବ୍‌ ସିରିଜ୍‌ ଉପରେ କାମ କରିବାକୁ ଯାଉଛନ୍ତି। ସେ ଏହି ସିରିଜ୍‌ର ନିର୍ମାତା ହେବେ। ସାକ୍ଷୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି। ଏଥିସହ ଆମେ ତୁମର ଭଲପାଇବା ଏବଂ ପ୍ରାର୍ଥନା ଚାହୁଁ ବୋଲି ସେ ଲେଖିଛନ୍ତି।
ଏହା ଏକ ପୁସ୍ତକ ଦ୍ୱାରା ପ୍ରଭାବିତ ହୋଇ ତିଆରି କରାଯାଉଛି। ତେବେ ଉକ୍ତ ପୁସ୍ତକ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ। ଏହି ପୁସ୍ତକ ଲେଖିଥିବା ଲେଖକଙ୍କର ଏହା ହେଉଛି ପ୍ରଥମ ପ୍ରସ୍ତକ। ଆହୁରି ମଧ୍ୟ ସେ କହିଛନ୍ତି, ଏହି ସିରିଜ୍‌ ଏକ ପୌରାଣିକ ବିଜ୍ଞାନ ଫାଇ ଉପରେ ଆଧାରିତ ହେବ। ଏବେ ଏଥିପାଇଁ କଳାକାର ଖୋଜା ଚାଲିଛି। ତେବେ ଧୋନିଙ୍କର ଏହି ନୂଆ ଇନିଂସ ଦେଖିବାକୁ ଏବଂ ଅନୁଭବ କରିବାକୁ ସମସ୍ତେ ଚାହିଁ ବସିଛନ୍ତି।
ଧୋନିଙ୍କ କମ୍ପାନୀ ଗତ ବର୍ଷ ଡକ୍ୟୁମେଣ୍ଟାରୀ ‘ରୋର ଅଫ୍‌ ଦି ସିଂହ’ ପ୍ରସ୍ତୁତ କରିଥିଲେ। ଏଥିରେ ଚେନ୍ନାଇ ସୁପର କିଙ୍ଗସ୍‌ର ସଂଘର୍ଷମୟ କାହାଣୀ ଦେଖିବାକୁ ମିଳିଥିଲା। ଏବେ ଧୋନିଙ୍କ ନୂଆ ସିରିଜ୍‌କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

Share