ଆଇପିଏଲ୍‌ରେ ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ  ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚରେ ସେ ଦଳର ଅଧିନାୟକ ହୋଇଥିଲେ। ଧୋନୀ ଅଧିନାୟକତ୍ୱ ଗ୍ରହଣ କରିବା ମାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ଭାଗ୍ୟ ମଧ୍ୟ ଖୋଲିଥିଲା ଏବଂ ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତିଥିଲା। ମ୍ୟାଚ୍‌ର ଟସ୍‌ ସମୟରେ ଧୋନୀ ନିଜ ଆଇପିଏଲ୍‌ ଭବିଷ୍ୟତକୁ ନେଇ ଖୁଲାସା କରିଛନ୍ତି।
ଧୋନୀ ଦୀର୍ଘ ଦିନ ହେବ ସିଏସ୍‌କେ ସହିତ ଜଡିତ ଅଛନ୍ତି ଏବଂ ଟସ ସମୟରେ ସେ ସୂଚାଇ ଦେଇଥିଲେ ଯେ ସେ ଏହି ଫ୍ରାଞ୍ଚାଇଜ ସହିତ ଜଡିତ ରହିବେ। ଟସ ସମୟରେ ସମୀକ୍ଷକ ଡାନି ମୋରିସନ ଧୋନୀଙ୍କୁ ପଚାରିଥିଲେ, ଦୁଇ ବର୍ଷ ପୂର୍ବେ ପଚାରିଥିବା ପ୍ରଶ୍ନ, ମୁଁ ପୁଣି ଥରେ ପଚାରିବାକୁ ଚାହେଁ କି ଆସନ୍ତା ବର୍ଷ ମଧ୍ୟ ଆମେ ଆପଣଙ୍କୁ ହଳଦିଆ ଜର୍ସିରେ ଦେଖିବୁ କି? ଏହି ପ୍ରଶ୍ନ ଉପରେ ଧୋନୀ କହିଛନ୍ତି, ମୁଁ ଗତ ଥର ମଧ୍ୟ କହିଥିଲି ଯେ ନିଶ୍ଚିତ ଭାବରେ ଆପଣ ମୋତେ ହଳଦିଆ ଜର୍ସିରେ ଦେଖିବେ। କିନ୍ତୁ ଭୂମିକା ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ।
ଆଇପିଏଲ ଆରମ୍ଭରୁ ସିଏସକେ ଧୋନୀଙ୍କ ଉପରେ ନିର୍ଭରଶୀଳ। ଏହି ସିଜିନ୍‌ ଆରମ୍ଭ ପୂର୍ବରୁ ଧୋନୀଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିପାରି ନ ଥିଲା। ୮ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟି ଜିତିବାରେ ସଫଳ ହୋଇଥିଲା। ଦଳର ଏହି ପ୍ରଦର୍ଶନ ପରେ ଜାଡେଜା ଅଧିନାୟକତ୍ୱରୁ ଇସ୍ତଫା ଦେଇଥିଲେ। ପୁଣିଥରେ ସିଏସ୍‌କେର ଦାୟିତ୍ୱ ଧୋନୀଙ୍କ ହାତକୁ ଆସିଛି।

Share