Categories: ଖେଳ

ଆଇପିଏଲ୍‌ରେ ଏଭଳି କିଛି କଲେ ଧୋନୀ; ପ୍ରଶଂସକ କହିଲେ ‘ଆଉ ଦେଖିବାକୁ କିଛି ବାକି ନାହିଁ’

ନୂଆଦିଲ୍ଲୀ,୨୯।୪: କ୍ରିକେଟ ମଇଦାନରେ ମହେନ୍ଦ୍ର ସିଂହ ଧୋନୀ ଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରୁ ଅନ୍ୟତମ। ଉଇକେଟ ପଛରେ ତାଙ୍କର ଫୁର୍ତ୍ତି ସମସ୍ତଙ୍କୁ ଚକିତ କରେ। ସେ କ୍ୱଚିତ କ୍ୟାଚ୍‌ ଛାଡ଼ିଥାନ୍ତି। କିନ୍ତୁ ଆଇପିଏଲ୍‌ର ଚଳିତ ସଂସ୍କରଣରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ ଏଭଳି କିଛି ଘଟିଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା। ଧୋନୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ସହଜ କ୍ୟାଚ୍‌କୁ ଛାଡ଼ିଥିଲେ। ଏହି କ୍ୟାଚ୍‌ ଜନି ବେୟାରଷ୍ଟୋଙ୍କ ଥିଲା। ଏହାକୁ ନେଇ କ୍ରିକେଟ ପ୍ରଶଂସକମାନେ ବହୁତ ନିରାଶ ହୋଇଥିଲେ।

ଧୋନୀ କ୍ୟାଚ୍‌ ଛାଡ଼ିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଇଥିଲେ। ଧୋନୀ ଯେଉଁଭଳି ସହଜ କ୍ୟାଚ୍‌ ଛାଡ଼ିଛନ୍ତି, ଆଉ ଦେଖିବାକୁ କିଛି ବାକି ନାହିଁ ବୋଲି ଜଣେ କହିଛନ୍ତି। ବହୁତ ଦିନ ପରେ ଧୋନୀ ପ୍ରଥମ ଥର ପାଇଁ କ୍ୟାଚ୍‌ ଛାଡ଼ିଛନ୍ତି ବୋଲି ଅନ୍ୟଜଣେ କହିଛନ୍ତି। ସେହିଭଳି ଶେଷ ଥର ପାଇଁ କେବେ ଧୋନୀ କ୍ୟାଚ୍‌ ଛାଡ଼ିଥିଲେ ମନେ ନାହିଁ ବୋଲି ଆଉଜଣେ ପ୍ରଶଂସକ କହିଛନ୍ତି।

କହିରଖୁଛୁ, ଧୋନୀ ବେୟାରଷ୍ଟୋଙ୍କ କ୍ୟାଚ୍‌ ଛାଡ଼ିଥିଲେ ହେଁ ସେ ଏହାର ଫାଇଦା ଉଠାଇପାରି ନ ଥିଲେ। ସେ ୫ ବଲ୍‌ରେ ଗୋଟିଏ ଚଉକା ଯୋଗୁ ମାତ୍ର ୭ ରନ୍‌ କରିଥିଲେ। ଅପରପକ୍ଷେ ତାଙ୍କ ଦଳ ୨୦ ଓଭରରେ ୩ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୧୮.୩ ଓଭରରେ ୩ ଉଇକେଟ ହରାଇ ୧୭୩ ରନ୍‌ ସଂଗ୍ରହ କରିନେଇ ବିଜେତା ହୋଇଥିଲା।

Share