IPLରୁ ସନ୍ନ୍ୟାସ ନେବା ପରେ ଏଭଳି ସେଲିବ୍ରେଶନ କଲେ ଧୋନୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୧୮।୧୧: IPLକୁ ଅଲ୍‌ବିଦା କହିବା ପରେ ନିଜ ଅବସରକୁ ନିଆରା ଢଙ୍ଗରେ ସେଲିବ୍ରେଟ୍‌ କରିଛନ୍ତି ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀ। ୪୫ ବର୍ଷ ବୟସରେ IPLରୁ ସନ୍ନ୍ୟାସ ନେବା ପରେ ନିଜର ଘନିଷ୍ଠ ବନ୍ଧୁମାନଙ୍କ ସହ କେକ୍‌ କାଟି ଏହି ମୁହୂର୍ତ୍ତକୁ ପାଳନ କରିଛନ୍ତି ମାହି । ଏହାର ଏକ ଭିଡିଓ ଚେନ୍ନାଇ ସୁପର କିଙ୍ଗ୍ସ ସୋସିଆଲ ମିଡିଆରେ ଶେୟାର କରିଛି ।

ଧୋନୀଙ୍କ ଅବସର ପରେ ତାଙ୍କ ପ୍ରଶଂସକ ଓ CSK ଫ୍ୟାନ୍‌ଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା। ତେବେ ଚେନ୍ନାଇ ସହ ଧୋନୀଙ୍କ ସମ୍ପର୍କ ଏତେ ସହଜରେ ଶେଷ ହେବ ନାହିଁ । ରିପୋର୍ଟ ଅନୁସାରେ, IPL ୨୦୨୭ରେ ସେ CSK ପାଇଁ ମେଣ୍ଟର ଭୂମିକାରେ ନଜର ଆସିପାରନ୍ତି। ଧୋନୀ ନିଜର କିଛି ଘନିଷ୍ଠ ବନ୍ଧୁଙ୍କ ସହ କେକ୍‌ କାଟିଥିଲେ। କେକ୍‌ ଉପରେ ଲେଖାଥିଲା, “ଥ୍ୟାଙ୍କ୍‌ ୟୁ ମାହି ଭାଇ। ଆମକୁ ଏତେ ଖୁସି ଦେଇଥିବାରୁ ଧନ୍ୟବାଦ । ଈଶ୍ୱର ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ।

କେକ୍‌ କାଟିବା ପରେ ଧୋନୀ ନିଜ ବନ୍ଧୁମାନଙ୍କୁ କେକ୍‌ ଖୁଆଇଥିଲେ । ଏହି ସମୟରେ ମଜାଳିଆ ଢଙ୍ଗରେ ସେ କହିଥିଲେ, “ମୋତେ ତୁମେମାନେ କେକ୍‌ ଖୁଆଇବ ନାହିଁ ।” ଏହି ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଧୋନୀ ସୋସିଆଲ ମିଡିଆରେ CSK ସହ ନିଜର ଯାତ୍ରାକୁ ନେଇ ଏକ ଭିଡିଓ ଶେୟାର କରିଥିଲେ । ଅବସର ପରେ ତାଙ୍କ ଭାବପ୍ରବଣ ବାର୍ତ୍ତା ଫ୍ୟାନ୍‌ମାନଙ୍କ ମନ ଛୁଇଁଥିଲା। ଏବେ କେକ୍‌ କାଟିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଶେୟାର ହେଉଛି। ମାହିଙ୍କ ଏହି ନିଆରା ସେଲିବ୍ରେଶନ୍‌କୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରୁଛନ୍ତି ।

 

Dharitri – Odisha’s No.1 Odia Daily

Share