ସିଏସ୍‌କେ ନେତୃତ୍ୱ ଛାଡ଼ିଲେ ଧୋନୀ

ନୂଆଦିଲ୍ଲୀ,୨୪।୩: ପୁଣି ଥରେ ସଭିଙ୍କୁ ଚମକାଇ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କ୍ୟାପଟେନ କୁଲ ନେଇଛନ୍ତି ବଡ଼ ନିଷ୍ପତ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳକୁ ୪ ଥର ଚାମ୍ପିୟନ କରାଇଥିବା ଧୋନୀ
ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଗାମୀ ସିଜନରେ ଦଳର ନେତୃତ୍ୱ ନେବେ। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

୨୦୧୨ଠାରୁ ସିଏସ୍‌କେ ପାଇଁ ଖେଳୁଥିବା ଜାଡେଜା ୩ୟ ଖେଳାଳି ଭାବେ ଦଳର ଅଧିନାୟକ ହେବାକୁ ଯାଉଛନ୍ତି। ତେବେ ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଖେଳିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରଠୁ ଧୋନୀ ଚେନ୍ନାଇ ଦଳର ଅଧିନାୟକ ଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଧୋନୀଙ୍କ ନେତୃତ୍ୱରେ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ ଆଇପିଏଲ ଟ୍ରଫି ହାତେଇଥିଲା। ଆଇପିଏଲ ଇତିହାସ ଚେନ୍ନାଇର ବିଜୟ ହାର ମୁମ୍ବାଇ ଇଣ୍ଡିଆନ୍ସ ପଛକୁ ଦ୍ୱିତୀୟ ସର୍ବାଧିକ। ଏଥିସହିତ ଚେନ୍ନାଇ ସର୍ବାଧିକ ୧୧ ଥର ପ୍ଲେଅଫ୍‌ ଏବଂ ୯ ଥର ଆଇପିଏଲ ଫାଇନାଲକୁ ଯୋଗ୍ୟତା ହାସଲ କରିଥିଲା।

Share