Categories: ଜାତୀୟ

ମୃତ୍ୟୁଞ୍ଜୟ ମହାପାତ୍ର ଡବ୍ଲ୍ୟୁଏମ୍‌ଓ ଉପାଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ, ୨ା୬(ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି। ଜାତିସଂଘର ଏହି ସଂସ୍ଥା ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଗୁଆ ସତର୍କ ସୂଚନା ଦିଏ ଓ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତି କରିଥାଏ। ଗୁରୁବାର ଜେନେଭାରେ ଅନୁଷ୍ଠିତ ନିର୍ବାଚନରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ ଜାତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅବଦୁଲ୍ଲା ଅଲ୍‌ ମାଣ୍ଡୋସ୍‌ ୪ ବର୍ଷ ପାଇଁ ଡବ୍ଲ୍ୟୁଏମ୍‌ଓ ଅଧ୍ୟକ୍ଷ
ନିର୍ବାଚିତ ହୋଇଛନ୍ତି। ସେହିପରି କୋଟ୍‌ ଡି’ଆଇଭରର ପାଣିପାଗ ନିର୍ଦ୍ଦେଶକ ଡୌଡା କୋନାଟେ ଏବଂ ଆୟର୍ଲାଣ୍ଡ ପାଣିପାଗ ସେବାର ନିର୍ଦ୍ଦେଶକ ଥିବା ଇଓନ ମୋରାନ ଯଥାକ୍ରମେ ଡବ୍ଲ୍ୟୁଏମ୍‌ଓର ପ୍ରଥମ ଓ ଦ୍ୱିତୀୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
ଆର୍ଜେଣ୍ଟିନାର ପ୍ରଫେସର ସେଲେଷ୍ଟ ସାଉଲୋ ଡବ୍ଲ୍ୟୁଏମ୍‌ଓର ପ୍ରଥମ ମହିଳା ମହାସଚିବ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ମୃତ୍ୟୁଞ୍ଜୟ ମହାପାତ୍ର ଭାରତର ସାଇକ୍ଲୋନ୍‌ ମ୍ୟାନ ଭାବେ ପରିଚିତ। ସେ ୨୦୧୯ରୁ ଡବ୍ଲ୍ୟୁଏମ୍‌ଓ ସଦସ୍ୟ ରହିଛନ୍ତି। ଏବେ ସେ ଏହାର ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିବାରୁ ଆଗୁଆ ପାଣିପାଗ ସତର୍କ ସୂଚନା ଏବଂ ବିପର୍ଯ୍ୟୟ ସମ୍ପର୍କିତ ବିଶ୍ୱ ନୀତିକୁ ପ୍ରଭାବିତ କରିବାରେ ଭାରତକୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ପୂର୍ବରୁ ଭାରତର ଭୂବିଜ୍ଞାନ ସଚିବ ଏମ. ରବିଚନ୍ଦ୍ରନ ଆଣ୍ଟଲାଟିକ୍‌ ଟ୍ରିଟି କନ୍‌ସଲ୍ଟେଟିଭ୍‌ ମେକାନିଜମ୍‌ (ଏଟିସିଏମ୍‌)ର ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।

Share