ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ,ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ପରେ ଭାଜପାର ଜିଲା ସାଧାରଣ ସମ୍ପାଦକ ସୁକାନ୍ତ ସାହୁ, ଦାରିଙ୍ଗବାଡି ମଣ୍ଡଳ ସଭାପତି ମିଟୁ ସାହୁ,ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଗଣେଶ ଡାକୁଆ,ମଣ୍ଡଳ ସମ୍ପାଦକ ରଞ୍ଜନ ସାହୁ, ରୁଦ୍ର ମାଧବ ସାହୁ, ଭାଜପା ଜିଲା ଉପସଭାପତି ଅଜିତ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ମଣ୍ଡଳ ଉପସଭାପତି ସୁବାଷ ସାହୁ, ହରେନ ସାହୁ, ପ୍ରଭାକର ସାହୁ, ଅରୁଣ ପ୍ରଧାନ, ମିନକେତନ ସାହୁ,ଶ୍ୟାମ ମାହାଙ୍କୁଡଙ୍କ ସମେତ ଶତାଧିକ କର୍ମକର୍ତ୍ତା,କର୍ମୀ ଦଳ ପକ୍ଷରୁ ସ୍ବାଗତ ଜଣାଇଥିଲେ । ଏମ୍‌ପି ସେଠାରୁ ପ୍ରଥମେ ସରକାରୀ ଆଇଟିଆଇକୁ ଯାଇ ସେଠାରେ ମା’ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ସେଠାରେ ଚାରା ରୋପଣ କାର୍ଯ୍ୟକ୍ରମ କରି ଆଇଟିଆଇ ସଭାଗୃହରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପରିବେଶର ସୁରକ୍ଷା ବୃକ୍ଷରୋପଣର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ପ୍ରକୃତିକୁ ଶୋଷଣ ନୁହଁ ତାକୁ ସୁରକ୍ଷା ଦେବା ଜରୁରୀ , କାରଣ ପ୍ରକୃତି ଆମକୁ ଦାଉ ସାଧିବ । ବର୍ଷା ଦିନରେ ସଠିକ୍‌ ବର୍ଷା ନହେବା ଖରା ଦିନରେ ଅତ୍ୟଧିକ ଖରା ହେବା ଓ ଗରମ ଗୁଳାଗୁଳି ବୃଦ୍ଧି ଓ ଶୀତ ଦିନରେ ଶୀତ ସଠିକ ସମୟରେ ନହେବା ଆଦି ଜଳବାୟୁ ପରିବର୍ତ୍ତନର ପ୍ରଭାବ ।ତେଣୁ ନିଜ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ଶିକ୍ଷାକ୍ଷେତ୍ରରେ ଅଧ୍ୟୟନ କରିବା ସହ କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ ଏମ୍‌ପି। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରୀଛାତ୍ରଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (କନ୍ଧମାଳ )ର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ,ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ,ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ବନାଞ୍ଚଳ ଅଧିକାରୀ ଲଷ୍ମୀନାରାୟଣ ପଣ୍ଡା, ଭାଜପା ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, କନ୍ଧମାଳ ଏମପିଙ୍କ ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ,ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସେଠାରୁ ଏମ୍‌ପି କଫି ବଗିଚାରେ ପହଞ୍ଚି କଫି ବିକ୍ରିବଟା ପାଇଁ ୮ ଲକ୍ଷ ଟଙ୍କା ବିନିମୟରେ ଏକ ନବ ନିର୍ମାଣ ଆଉଟଲେଟର ଉଦଘାଟନ କରିଥିଲେ । ଉକ୍ତ ଆଉଟଲେଟରେ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟ କରିବାକୁ ଏକ ବାଟ ଫିଟିଲା ବୋଲି ଏମ୍‌ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଆଗାମୀ ଦିନରେ ଏହାକୁ ଆହୁରି ଅଧିକା ଅର୍ଥ ବିନିଯୋଗ କରି ବିରାଟ ଆଉଟଲେଟର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ପରେ ବ୍ଲକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୬ ଲକ୍ଷ ୯୫ ହଜାର ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀ କୋଠାର ଉଦଘାଟନ କରିଥିଲେ। ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅଞ୍ଚଳର ଲୋକଙ୍କ ଅଭିଯୋଗ ଶୁଣାଣି କରି ତାର ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସିମନବାଡି ଠାରେ ଆଇଟିଦିଏ ପକ୍ଷରୁ ୨୭ ଲକ୍ଷ ବିନିମୟରେ ନବ ନିର୍ମିିତ ଏକ କୋଠା ସଂଖ୍ୟାଲଘୁ ଗୋଷ୍ଠି କେନ୍ଦ୍ର ଓ ଜୁଡ଼ାବାଡି ସାହିରେ ବନଜା ପରିସରକୁ ଉଦଘାଟନ କରିଥିଲେ। ପରେ ଉକ୍ତ ବ୍ଲକର ଦୁର୍ଗମ ଗ୍ରାମ ତିଲୋରୀ ପଞ୍ଚାୟତର ମୁଗୁପାଙ୍ଗା ଯାଇ ଗ୍ରାମବାସୀଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଗାଁକୁ ଚାଲ ଅଭିଯାନକୁ କାର୍ଯ୍ୟକାରୀ କରିଥିଲେ। ଏହି ସମୟରେ ଗାଁରେ ରହିଥିବା ପିଇବା ପାଣିର ସମସ୍ୟା, ସଭାଗୃହ, ଅଙ୍ଗନାୱାଡି କେନ୍ଦ୍ରର ଆବଶ୍ୟକତା, ବିଦ୍ୟାଳୟ ପାଚେରୀ, ପ୍ରଧାନମନ୍ତ୍ରୀ ସଡ଼କ ଓ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଲୋକମାନେ ଏମ୍‌ପିଙ୍କୁ ଜଣାଇଥିଲେ।

 

Odisha’s No.1 Odia Daily

Share