Categories: ଜାତୀୟ

ଲାଞ୍ଚ ପାଇଁ ଫେରାଇଦେଲା ହସ୍ପିଟାଲ, ରାସ୍ତାରେ ମୃତ ସନ୍ତାନକୁ ଜନ୍ମଦେଲେ

ଭୋପାଳ,୨୭।୧: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାସ୍ଥିତ ଏକ ସରକାରୀ ହସ୍ପିଟାଲ ଚିକିତ୍ସା କରିବାକୁ ମନା କରି ଫେରାଇ ଦେବାରୁ ମଙ୍ଗଳବାର ଜଣେ ମହିଳା ରାସ୍ତାରେ ମୃତ ସନ୍ତାନ ପ୍ରସବ କରିଛନ୍ତି। ଖବର ଅନୁଯାୟୀ, ଭିନ୍ଦ୍‌ ଜିଲା ରାଜୁପୁରା ଗ୍ରାମର କାଲୋ ବାଈ ୬ ମାସର ଗର୍ଭବତୀ ଥିଲେ। ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଭିନ୍ଦ୍‌ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡ୍ୟୁଟିରେ ଥିବା ନର୍ସିଂ କର୍ମଚାରୀ ତାଙ୍କୁ ଚିକିତ୍ସା କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। କାଲୋଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଲାଞ୍ଚ ଦେବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ ନର୍ସିଂ କର୍ମଚାରୀମାନେ କାଲୋ ଓ ତାଙ୍କ ସହ ଯାଇଥିବା ପରିବାର ସଦସ୍ୟଙ୍କୁ ହସ୍ପିଟାଲରୁ ବାହାର କରିଦେଇଥିଲେ।

ବାହାରେ ଯାଇ ଅଲ୍ଟାସାଉଣ୍ଡ କରାଇବାକୁ ସେମାନେ କହିଥିଲେ ବୋଲି କାଲୋଙ୍କ ଶାଶୁ ମିଥିଳେଶ ମିର୍ଦ୍ଧା ଅଭିଯୋଗ କରିଛନ୍ତି। ହସ୍ପିଟାଲରୁ ଆସିବା ପରେ ରାସ୍ତାରେ ବୋହୂର ପ୍ରବଳ ଗର୍ଭ ଯନ୍ତ୍ରଣା ହୋଇଥିଲା ଏବଂ ସେଠାରେ ସେ ଏକ ଅପରିପକ୍ୱ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ପାଇଁ ସେମାନଙ୍କ ପାଖରେ ସଫା କପଡ଼ା ଖଣ୍ଡେ ନ ଥିଲା। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଶିଶୁଟି ମରିଗଲା ବୋଲି ମିଥିଳେଶ କହିଛନ୍ତି। ଅନ୍ୟପକ୍ଷରେ ନର୍ସିଂ ଷ୍ଟାଫ୍‌ ଅଭିଯୋଗକୁ ଖଣ୍ଡନ କରିବା ସହ ମିଥିଳେଶଙ୍କ ପରିବାର ଆପଣାଛାଏଁ ହସ୍ପିଟାଲ ଛାଡ଼ିଥିଲେ ବୋଲି କହିଛନ୍ତି। ଘଟଣାର ତଦନ୍ତ ପାଇଁ ହସ୍ପିଟାଲ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି।

Share