Categories: ଜାତୀୟ

ନ୍ୟାୟ ନ ମିଳିବାରୁ ସୁପ୍ରିମକୋର୍ଟ ଆଗରେ ଆତ୍ମହୁତି : ପୀଡ଼ିତାଙ୍କ ମୃତ୍ୟୁ

ଲକ୍ଷ୍ନୌ,୨୪।୮: ବିଏସ୍‌ପି ଏମ୍‌ପି ଅତୁଲ ରାଇଙ୍କ ବିରୋଧରେ ୨୦୧୯ରେ ବଳାତ୍କାର ଅଭିଯୋଗ ଆଣିଥିବା ପୂର୍ବ ଉତ୍ତରପ୍ରଦେଶର ୨୪ ବର୍ଷୀୟା ମହିଳାଙ୍କର ମଙ୍ଗଳବାର ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ ଘଟିଛି। ସେ ଗତ ସପ୍ତାହରେ ସୁପ୍ରିମକୋର୍ଟ ଆଗରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆତ୍ମହୁତି ଦେଇଥିଲେ। ମହିଳାଙ୍କ ଶରୀରର ୮୫ ଓ ୨୭ ବର୍ଷୀୟ ପୁରୁଷଙ୍କ ଶରୀରର ୬୫ ପ୍ରତିଶତ ଭାଗ ପୋଡ଼ି ଯାଇଥିଲା। ଦୁହିଁଙ୍କୁ ଭର୍ତ୍ତି କରାଯାଇଥିଲା ରାମ ମନୋହର ଲୋହିଆ ହସ୍ପିଟାଲରେ। ଗତ ଶନିବାର ପୁରୁଷଙ୍କ ମୃତ୍ୟୁ ଘଟିଥିଲା।

ମହିଳା ଜଣଙ୍କ ୨୦୧୯ ମେ’ରେ ବାରଣାସୀ ଥାନାରେ ବିଏସ୍‌ପି ଏମ୍‌ପି ନିଜ ବାସଭବନରେ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ। ଅଭିଯୁକ୍ତ ଏମ୍‌ପି ଘଟଣାର ମାସେ ପରେ ଆତ୍ମସମର୍ପଣ କରିଥିଲେ ଓ ସେବେଠାରୁ ସେ ଜେଲ୍‌ରେ ଅଛନ୍ତି।

ଗତବର୍ଷ ନଭେମ୍ବରରେ ଅଭିଯୁକ୍ତ ବିଏସ୍‌ପି ନେତାଙ୍କ ଭାଇ ପୀଡ଼ିତାଙ୍କ ବିରୋଧରେ ଆଣିଥିଲେ ଜାଲିଆତି ଅଭିଯୋଗ। ମହିଳାଙ୍କ ପତ୍ତା ମିଳୁ ନ ଥିବା ପୋଲିସ ଦର୍ଶାଇବା ପରେ ସ୍ଥାନୀୟ କୋର୍ଟ ଚଳିତ ମାସରେ ମହିଳାଙ୍କ ବିରୋଧରେ ଜାମିନବିହୀନ ଓ୍ବାରେଣ୍ଟ ଜାରି କରିଥିଲେ।

ତା’ ପରେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ପହଞ୍ଚିଥିଲେ ଦିଲ୍ଲୀରେ। ଗତ ୧୬ ତାରିଖରେ ଫେସବୁକ୍‌ରେ ଏକ ଲାଇଭ ନିଜ ଦୁଃଖ ବଖାଣିଥିଲେ। ଭିଡିଓରେ ଅଭିଯୁକ୍ତ ଏମ୍‌ପି ଓ ତାଙ୍କ ପରିବାର ବର୍ଗ ସହ ପୋଲିସ ମିଶି ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ। ଆଉ ନ୍ୟାୟର ଆଶା ନାହିଁ ବୋଲି ଦୁହେଁ କହିବା ପରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ୧୮ ତାରିଖରେ ବାରଣାସୀର ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରି ଦିଆଯାଇଥିଲା।

Share