କରୋନା ଆକ୍ରାନ୍ତ ଏମ୍‌ପି ରମେଶ ମାଝିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନବରଙ୍ଗପୁର,୧୨ା୯(ବି.ପ୍ର.): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଶନିବାର ଅପରାହ୍ନରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ କହିଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୪ ତାରିଖରେ ଏମ୍‌ପି କରୋନା ଆକ୍ରାନ୍ତ ହୋଇଥିଲେ। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। କରୋନା ଆକ୍ରାନ୍ତ ହେବା ପରେ ସେ ଉମରକୋଟ ଠାରେ ହୋମ୍‌ ଆଇସୋଲେଶନରେ ରହିଥିଲେ। ଶ୍ୱାସକ୍ରିୟାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ହେବାରୁ ଆଜି ସକାଳେ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି।