Categories: ଜାତୀୟ

କ୍ଷମା ମାଗିଲେ କାନିମୋଝି

ଚେନ୍ନାଇ,୨୮ ।୧୦: ଡିଏମକେ ନେତା ସୈଦାଇ ସାଦିକ ତାମିଲନାଡୁ ବିଜେପିର ମହିଳା ନେତାଙ୍କୁ ନେଇ ଅପମାନଜନକ ଟିପ୍ପଣି କରିଥିଲେ । ଏହାପରେ ଗୁରୁବାର ୨୭ ଅକ୍ଟୋବରରେ ଡିଏମକେର ବରିଷ୍ଠ ନେତା କାନିମୋଝି ଖୋଲାଖୋଲି ଭାବେ କ୍ଷମା ମାଗିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସୈଦାଇ ସାଦିକ ଅଭିନେତ୍ରୀରୁ ଭାଜପା ନେତ୍ରୀ ହୋଇଥିବା ଖୁସବୁ ସୁନ୍ଦର, ନମିତା, ଗୌତମି ଓ ଗାୟତ୍ରୀ ରଘୁରାମଙ୍କୁ ନେଇ ଅପମାନଜନକ ଟିପ୍ପଣି ଶୁଣାଯାଇଥିଲା ।
ଡିଏମକେ ନେତାଙ୍କ ଏହି ଟିପ୍ପଣିକୁ ନେଇ ଭାଜପା ନେତା ଖୁସବୁ ଏମ କେ ଷ୍ଟାଲିନଙ୍କୁ ଟ୍ୟାଗ କରି ପ୍ରଶ୍ନ ପଚାରିଥିଲେ କି , ଯେତେବେଳେ ପୁରୁଷ ଜଣେ ମହିଳାଙ୍କୁ ଗାଳି କରନ୍ତି, ସେତେବେଳେ ଜଣାପଡେ ତାଙ୍କୁ କିଭଳି ଲାଳନ ପାଳନ କରାଯାଇଛି ଓ ସେ କେଉଁଭଳି ବିଷଧର ବାତାବାରଣରୁ ଆସିଛନ୍ତି । ଏଭଳି ପୁରୁଷ ଜଣେ ମହିଳାଙ୍କ ମାତୃତ୍ୱକୁ ଅପମାନ କରିଥାଆନ୍ତି । ଏମିତି ପୁରୁଷ ନିଜକୁ କଲାଇଗନରର ଅନୁଗାମୀ ବୋଲି କହିଥାଆନ୍ତି, କ’ଣ ଏହା ଷ୍ଟାଲିନଙ୍କ ଶାସନରେ ନୂଆ ଦ୍ରାଭିଡ ମଡେଲ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହି ଟୁଇଟର ଜବାବରେ ଡିଏମକେ ଏମପି କାନିମୋଝି କ୍ଷମା ମାଗିଛନ୍ତି । ସେ କହିଛନ୍ତି ମୁଁ ଜଣେ ମହିଳା ଭାବେ ଓ ଜଣେ ମଣିଷ ଭାବେ ଯାହା କୁହାଯାଇଛି ସେଥିପାଇଁ କ୍ଷମା ମାଗୁଛି । ଏହାକୁ କେବେ ବି ଗ୍ରହଣ କରାଯାଇ ପାରିବ ନାହିଁ । ସେ କୌଣସି ବ୍ୟକ୍ତି ବା ଦଳୀୟ ଲୋକ କହି ଥାଆନ୍ତୁନା କାହିଁକି । ଆଉ ମୁଁ ଏଥିପାଇଁ ଖୋଲାଖୋଲି ଭାବେ କ୍ଷମା ମାଗୁଛି । କାରଣ ମୋ ନେତା ଏମ କେ ଷ୍ଟାଲିନ ଓ ମୋ ଦଳ ଏମିତି ଲୋକଙ୍କୁ କ୍ଷମା କରନ୍ତି ନାହିଁ ।

Share