ନୂଆଦିଲ୍ଲୀ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ବିବାଦ ତେଜିଛି। କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏହାକୁ ଧର୍ମ ଆଧାରିତ ଭେଦଭାବ ବୋଲି ଅଭିଯୋଗ କରିଛନ୍ତି। ଏକ କଟାକ୍ଷମୂଳକ ମନ୍ତବ୍ୟ ଦେଇ ସେ କହିଛନ୍ତି, ତାଙ୍କ ନାମ ସିରାଜ ଏତିକି କ’ଣ ଯଥେଷ୍ଟ ନୁହେଁ। ଭଲ ପ୍ରଦର୍ଶନ ସତ୍ତ୍ୱେ ସିରାଜଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଯଦି ପ୍ରଦର୍ଶନ ଆଧାରରେ ଚୟନ ହେଉନାହିଁ, ତେବେ ଏହା ସ୍ପଷ୍ଟ ଭେଦଭାବ। କ୍ରିକେଟ ଜଗତ ମଧ୍ୟ ସିରାଜଙ୍କୁ ବାଦ ଦିଆଯିବା ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ୱସିମ ଜାଫର, ଆକାଶ ଚୋପ୍ରା, ସୁନୀଲ ଗାଭାସ୍କର ଏବଂ ରବି ଶାସ୍ତ୍ରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ ୨୦୨୫-୨୭ ଚକ୍ରରେ ସିରାଜ ଭାରତ ପକ୍ଷରୁ ସର୍ବାଧିକ ୪୩ଟି ଉଇକେଟ ନେଇଛନ୍ତି। ସେ ୧୧ଟି ମ୍ୟାଚ୍ରେ ୨୧ଟି ଇନିଂସ୍ରେ ଏହି ସଫଳତା ପାଇଛନ୍ତି। ଗତବର୍ଷ ଇଂଲଣ୍ଡ ଗସ୍ତରେ ପାଞ୍ଚଟି ଯାକ ଟେଷ୍ଟ ଖେଳିଥିବା ଏକମାତ୍ର ଭାରତୀୟ ଦ୍ରୁତ ବୋଲର୍ ଥିଲେ ସେ।
ସିରାଜଙ୍କୁ ଦଳରେ ସ୍ଥାନ ନ ମିଳିବାକୁ ନେଇ ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଯଦି ଗତି, ଦକ୍ଷତା ଓ ସିମ ମୁଭମେଣ୍ଟ ଚୟନର ମାପଦଣ୍ଡ, ତେବେ ୧୪୦ କିମି ବେଗରେ ବୋଲିଂ କରୁଥିବା ସିରାଜ କେଉଁଠି? ତାଙ୍କ ଅଭିଜ୍ଞତା, ଆକ୍ରମଣାତ୍ମକ ମନୋଭାବ ଓ ବଲ୍ରେ ପ୍ରଭାବ ପକାଇବାର କ୍ଷମତାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଶାସ୍ତ୍ରୀ କହିଛନ୍ତି।