ପରୀକ୍ଷା ଫି’ କମ୍‌ କରିବାକୁ ଆନ୍ଦୋଳନ

ସମ୍ବଲପୁର,୧୪ା୧୨(ବ୍ୟୁରୋ): ପରୀକ୍ଷା ଫି’ କମାଇବାକୁ ଦାବି କରି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ ଛାତ୍ରୀଛାତ୍ରମାନେ ମଙ୍ଗଳବାର ଆନ୍ଦୋଳନ କରିଥିଲେ । ଜିଏମୟୁ କର୍ତ୍ତୃପକ୍ଷ ଓ ପୋଲିସ ବୁଝାଶୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପଯର୍‌ୟନ୍ତ ଛାତ୍ରୀଛାତ୍ରମାନେ ଗେଟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଅନେକ ଗରିବ ଛାତ୍ରୀଛାତ୍ର ଅଛନ୍ତି ଏତେ ଟଙ୍କା ଦେବାକୁ ସମର୍ଥ ନୁହନ୍ତି। ତେଣୁ ଫି’କୁ କମ୍‌ କରାଯାଉ ବୋଲି ଜିଦ ଧରିଥିଲେ। ଡେପୁଟି ରେଜିଷ୍ଟାର ଉମାଚରଣ ପତି ଓ ଅନ୍ୟମାନେ ଆସି ଆଲୋଚନା କରିଥିଲେ। ଏହି ଦାବିକୁ ବିଚାରକୁ ନିଆଯିବ । ଜେଏମୟୁ କର୍ତ୍ତୁପକ୍ଷ ଓ ଛାତ୍ରୀଛାତ୍ରମାନଙ୍କୁ ନେଇ କମିଟି ଗଠନ କରି ଆଲୋଚନା କରିବା ପରେ ସ୍ଥିର କରାଯିବ ବୋଳି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଅପରାହ୍ନ ୩ ଟାରେ ଯୁକ୍ତ ୨ର ସେମିଷ୍ଟାର ପରୀକ୍ଷା ରହିଥିଲା । ତେଣୁ ଛାତୀଛାତ୍ରମାନେ ଆସି ଗେଟ ବାହାର ପଟ ସମ୍ମୁଖରେ ଛିଡା ହୋଇ ରହିଥିଲେ। ଗେଟ ଖୋଲିବା ପରେ ଯାଇ ପରୀକ୍ଷା ଦେଇ ପାରିଥିଲେ । ଅନ୍ୟପଟେ ଡେପୁଟି ରେଜିଷ୍ଟାର ପତି କହିଛନ୍ତି ଯେ, ଗତବର୍ଷ ମଧ୍ୟ ଫି’କୁ ନେଇ ଆନ୍ଦୋଳନ ହୋଇଥିଲା। ସେ ସମୟରେ ରି ଆଡମିଶନ ଫି’ ସହ ପରୀକ୍ଷା ଫି’କୁ ଅଲଗା କରି ଦେବାକୁ ଛାତ୍ରୀଛାତ୍ରମାନେ ଦାବି କରିଥିଲେ । ଏବେ ପରୀକ୍ଷା ସମୟରେ ଉକ୍ତ ଫି’ ଦେବାକୁ କୁହାଯାଉଛି । ଦୀର୍ଘ ୫ ବର୍ଷ ହେଲା ଯାହା ଫି ରହିଥିଲା ତାହା ରହିଛି । ପ୍ରତି ପେପର ପିଛା ମାତ୍ର ୨ ଶହ ଟଙ୍କା ନିଆଯାଉଛି। ଫି’ବୃଦ୍ଧି କରାଯାଇ ନାହିଁ ା ଯାହା ଫି ’ ଅଛି କମାଇବାକୁ ଦାବି କରୁଛନ୍ତି ।