ତେଜିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ବାଲେଶ୍ୱର ଅଫିସ, ୧୪।୨: ବାଲେଶ୍ୱର ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀରେ ଟଙ୍କା ଜମା ରଖି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଟଙ୍କା ଫେରସ୍ତ ପାଇଁ ‘ଆର୍ଥତ୍କ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ’ ମାଧ୍ୟମରେ ୫ଦିନ ଧରି ଜିଲାର ବିଭିନ୍ନ ତହସିଲ ଅଫିସ୍‌ ସମ୍ମୁଖରେ ସତ୍ୟାଗ୍ରହ କରାଯିବ। ଏଥିସହିତ ଆସନ୍ତା ଏପ୍ରିଲ ୧୧ତାରିଖରେ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ଅନୁଷ୍ଠିତ ହେବ ବୋଲି ଆନ୍ଦୋଳନକାରୀମାନେ ସୂଚନା ଦେଇଛନ୍ତି।
ସୋମବାର ରେମୁଣା ତହସିଲ ଅଞ୍ଚଳର ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀମାନେ ତହସିଲ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ କରି ତହସିଲଦାରଙ୍କ ଜରିଆରେ ୪ଦଫା ଦାବି ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ମଙ୍ଗଳବାର ବାଲେଶ୍ୱର ତହସିଲ, ୧୫ରେ ବାଲିଆପାଳ ତହସିଲ, ୧୬ରେ ଖଇରା ତହସିଲ ଏବଂ ୧୭ରେ ସୋର ତହସିଲ ସମ୍ମୁଖରେ ଜମାକାରୀ ଗଣସତ୍ୟାଗ୍ରହ ସହ ଦାବିପତ୍ର ଉପସ୍ଥାପନ କରାଯିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ସତ୍ୟାଗ୍ରହରେ ମଞ୍ଚର ବାଲେଶ୍ୱର ଜିଲା ସଂଯୋଜକ ତପନ କୁମାର ସିଟ, ଭିଟାମାଟି ଆନ୍ଦୋଳନ ନେତା ଅରୁଣ ଜେନା, ରେମୁଣାର ଜମାକାରୀ ମିଳିତ ମଞ୍ଚ ଜଳଧର ପ୍ରଧାନ, ରଘୁନାଥ ଦାସ, ଗଙ୍ଗାଧର ସେଠୀ, ବିଧାନ ଚନ୍ଦ୍ର ରାଏ, ପ୍ରଭାକର ଜେନା, ରବୀନ୍ଦ୍ର ପ୍ରଧାନ, ଯତୀନ ପାତ୍ର, ବାସୁଦେବ ପ୍ରଧାନ, ଶୈଳେଶ ଚନ୍ଦ୍ର ସିଂହ, ମଞ୍ଜୁ ସିଂହ, କାଳି ଚରଣ ବିନ୍ଧାଣୀ, ଶିବ ପ୍ରଶାଦ ଦାସ ଓ ଚନ୍ଦ୍ରକାନ୍ତ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।