ସମିତି କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ

ରୂପ୍‌ସା,୧୨ ।୩(ଡି.ଏନ.ଏ.)

ବାଲେଶ୍ୱର ସଦର ବ୍ଲକ ଅଧୀନ କସିପଦା ସେବା ସମବାୟ ସମିତିରେ ଚାଷୀ ଉତ୍ତେଜନା ଦେଖାଦେଇଛି। ଶତାଧିକ ଚାଷୀ ଏଯାବତ୍‌ ସମିତିରେ ଖରିଫ ଧାନ ବିକ୍ରି କରିପାରୁ ନାହାନ୍ତି। ଏନେଇ ଗୁରୁବାରଠାରୁ କଂଗ୍ରେସ ପକ୍ଷରୁ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଉଛି। ଲାପ୍ସ ହୋଇଥିବା ଟୋକନକୁ କାର୍ଯ୍ୟକ୍ଷମ କରାଯିବା, ଅବଶିଷ୍ଟ ଚାଷୀଙ୍କ ପାଇଁ ଟାର୍ଗେଟ ନ ଆସିଲେ ରାସ୍ତାରୋକ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସମିତିରେ ୧୦୪୩ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ତଦନୁଯାୟୀ ଚାଷୀଙ୍କୁ ଟୋକନ ମିଳିଥିଲା। ୬୧୭ଜଣ ଚାଷୀ ଧାନ ବିକ୍ରି କରିସାରିବା ପରେ ଆଉ ଟାର୍ଗେଟ ନ ଥିବାରୁ ୪୨୬ଜଣ ଚାଷୀ ଧାନ ବିକ୍ରି କରିପାରି ନ ଥିଲେ। ଏଯାବତ୍‌ ଶହେରୁ ଊର୍ଦ୍ଧ୍ୱ ଚାଷୀଙ୍କ ଟୋକନ ଲାପ୍ସ ହୋଇଗଲାଣି। ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି କଂଗ୍ରେସ ନେତା ମନୋରଞ୍ଜନ ନାୟକ, ଶଶଧର ମହାପାତ୍ର, ସୁବାସ ପାତ୍ର, ନିଲୁ ପ୍ରଧାନ, ଶ୍ରୀକାନ୍ତ ମହାଳିକ, ଶରତ ରାଉଳ, ରବି ସେନାପତି, ଗୋକୁଳ ବରଙ୍କ ସମେତ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଅପରପକ୍ଷେ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ସମିତି ସମ୍ପାଦକଙ୍କ ସହ ଏକ ପ୍ରତିନିଧି ଦଳ ଜିଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।